ରେଳ ଟିକଟ ସମ୍ପର୍କରେ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ, ଏଣିକି ସାଂସଦମାନେ ଦେବେ ଲେଟରହେଡ୍ ନମୁନା

ନୂଆଦିଲ୍ଲୀ : ରେଳ ଟିକଟ ସମ୍ପର୍କରେ ସ୍ଥିରନିଶ୍ଚିତ ହେବା ପାଇଁ ସାଂସଦମାନଙ୍କୁ ଏଣିକି ନିଜର ଲେଟରହେଡ୍ ନମୁନା ପ୍ରଦାନ କରିବାକୁ ପଡ଼ିବ। ଭିଆଇପି କୋଟାରେ ଟିକଟ କନ୍‌ଫର୍ମ ବେଳେ ନକଲି ଦସ୍ତଖତ ସମସ୍ୟାରୁ ନିସ୍ତାର ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ଏ ସମ୍ପର୍କରେ ସମସ୍ତ ସାଂସଦମାନଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ କୁହାଯାଇଛି ଯେ, ଏଣିକି ସାଂସଦମାନେ ଟିକଟ କନଫର୍ମ ଅନୁରୋଧକୁ ଲେଟରହେଡ୍‌ରେ ସ୍ବାକ୍ଷର ନମୁନା ସହିତ ପଠାଇବେ। ଲେଟରହେଡ୍‌ରେ ସାଂସଦମାନଙ୍କ ପରିଚୟପତ୍ରର ନମ୍ବର, ଅଫିସ୍ ଓ ଆବାସିକ ଟେଲିଫୋନ୍ ନମ୍ବର ଏବଂ ବ୍ୟକ୍ତିଗତ ସହାୟକଙ୍କ ମୋବାଇଲ ନମ୍ବର ରହିବା ଜରୁରୀ।

ଲେଟରହେଡ୍‌ର ପ୍ରତିମାସରେ ନମ୍ବରିଂ କରିବା ପାଇଁ ମଧ୍ୟ ସାଂସଦମାନଙ୍କୁ କୁହାଯାଇଛି। ଫଳରେ, ଅସଲି ଓ ନକଲି ସମ୍ପର୍କରେ ସୂଚନା ମିଳିପାରିବ। ରେଳ ଟିକଟ୍ କନଫର୍ମ‌୍ର ନୂଆ ଫର୍ମାଟ ମଧ୍ୟ ସାଂସଦମାନଙ୍କୁ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରେଳ ମନ୍ତ୍ରାଳୟ ଦେଶର ପ୍ରମୁଖ ଟ୍ରେନ୍‌ମାନଙ୍କରେ ଟିକଟ କନଫର୍ମର ୫ ପ୍ରତିଶତ କୋଟା ଭିଆଇପି ମାନଙ୍କ ପାଇଁ ଆରକ୍ଷଣ କରିଥାନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତି, ସାଂସଦ ଓ ବିଧାୟକ ସାମିଲ ରହିଥା’ନ୍ତି। ହେଲେ ବହୁ ସାଂସଦମାନଙ୍କ ଦ୍ବାରା ରେଳ ଟିକଟ କନଫର୍ମ ପାଇଁ ଗୋଟାଏ ଦିନରେ ଏକାଧିକ ଅନୁରୋଧପତ୍ର ପଠାଯାଇଥାଏ।

ସମ୍ବନ୍ଧିତ ଖବର