ନିଜ ନିର୍ବାଚନ ମଣ୍ଡଳୀରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗଣେଶ ପୂଜା ପେଣ୍ଡାଲରେ ଠୁମ୍‌କା ଲଗାଇ ସମାଲୋଚିତ ହେଲେ ମହିଳା ମନ୍ତ୍ରୀ

ଲକ୍ଷ୍ନୌ: ଗଣେଶ ପୂଜା ପେଣ୍ଡାଲରେ ମତୁଆଲା ହୋଇ ନୃତ୍ୟ ପ୍ରଦର୍ଶନ କରିବା ମହଙ୍ଗା ପଡ଼ିଛି। ଉତ୍ତରପ୍ରଦେଶର ମନ୍ତ୍ରୀ ଅନୁପମା ଜୈଶଓ୍ଵାଲ ଏ ନେଇ ବିବାଦର ଘେରକୁ ଆସିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବହରଇଚ୍‌ଠାରେ ଗତ ମାସ ଜ୍ୱରରେ ପଡ଼ି ୬୦ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ମନ୍ତ୍ରୀଙ୍କର ଏପରି ଆଚରଣ ସମାଲୋଚିତ ହୋଇଛି। ମନ୍ତ୍ରୀଙ୍କ ନାଚର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ଏହାକୁ ନାପସନ୍ଦ କରିଥିଲେ। ଏପରିକି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ଯେ ନିକଟରେ ବହୁଳ ପରିମାଣରେ ହୋଇଥିବା ଶିଶୁ ମୃତ୍ୟୁକୁ ନେଇ ମନ୍ତ୍ରୀ ଉପଯୁକ୍ତ ତଦନ୍ତ କରିବା ପାଇଁ ଆଗ୍ରହୀ ନୁହଁନ୍ତି।

ବହରଇଚ ସମେତ ନିକଟସ୍ଥ ଜିଲ୍ଲା ବସ୍ତି, ଗୋଣ୍ଡା, ସ୍ରଓସ୍ତି ଆଦିରେ ମୃତ୍ୟୁର ଆତଙ୍କ ଖେଳିଥିବା ବେଳେ ବସିରିଗଞ୍ଜ ଅଞ୍ଚଳରେ ଆୟୋଜିତ ହୋଇଥିବା ‘ରାଜାକା ପେଣ୍ଡାଲ୍‌’ରେ ସୋମବାର ରାତିରେ ମନ୍ତ୍ରୀ ଅନୁପମା ଭଜନ ଓ ଆଧୁନିକ ଗୀତରେ ତାଳେ ତାଳେ ଠୁମ୍‌କା ଲଗାଇଥିବା ବେଶ୍‌ ଚର୍ଚ୍ଚା ପାଲଟିଛି।

ମଙ୍ଗଳବାର ଦିନ ଆହୁରି ୩ ଜଣ ଶିଶୁମୃତ୍ୟୁ ଘଟିଥିବା ସୂଚନା ରହିଛି। ଏପରିକି ପ୍ରବଳ ଜ୍ୱର ହେତୁ ଏବେ ବି ୩୫ରୁ ଊର୍ଧ୍ୱ ଶିଶୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଅନୁପମା ଜୈଶଓ୍ଵାଲ ହେଉଛନ୍ତି ଶିକ୍ଷା ଓ ଶିଶୁ ବିକାଶ ରାଜ୍ୟ ମନ୍ତ୍ରୀ। ଶିଶୁମାନଙ୍କ ଅବସ୍ଥା ଗୁରୁତର ହେଉଛି ବୋଲି ସୂଚୀତ କରାଯିବା ବେଳେ ଅନୁପମାଙ୍କ କର୍ମୀ ସେ ଉତ୍ସବରେ ବ୍ୟସ୍ତ ଥିବା ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର