ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତକୁ ମିଳିଲା ଆନ୍ତର୍ଜାତୀୟ ସ୍ତରରେ ସମର୍ଥନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ପ୍ରଥମେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଭାରତୀୟ ସେନା ଉପରେ ଆକ୍ରମଣ କରିବାରୁ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ତାହାର ପାଲଟା ଜବାବ ଦେଇ ଭାରତୀୟ ବାୟୁ ସେନା ଗତକାଲି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ୩୫୦ ଆତଙ୍କବାଦୀଙ୍କୁ ନିପାତ କରିଛି।

ଭାରତ-ପାକ୍‌ ଭିତରେ ଉପୁଜିଥିବା ଏହି ଯୁଦ୍ଧ ପରିସ୍ଥିତି ଏବେ ପୂରା ବିଶ୍ୱରେ ଚହଳ ପକାଇଛି। ଏହାକୁ ନେଇ ମୁହଁ ଖୋଲିଛି ଆମେରିକା। ଯୁକ୍ତରାଷ୍ଟ୍ର ଆମେରିକାର ସଚିବ ମାଇକ୍‌ ପୋମପେଓ ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶରୁ ସେମାନଙ୍କୁ ହଟାଇବା ପାଇଁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ଭାରତ ଓ ପାକିସ୍ତାନ ଏଣିକି କୌଣସି ହିଂସାତ୍ମକ କାର୍ଯ୍ୟ ନକରି ପରସ୍ପର ସହ କଥା ହୋଇ ସମସ୍ୟାର ସମାଧାନ କରନ୍ତୁ ବୋଲି ମଧ୍ୟ ଆମେରିକା କହିଥିବା ଜାଣିବାକୁ ମିଳିଛି।

କେବଳ ଆମେରିକା ନୁହେଁ, ଅନ୍ୟ କେତେକ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରହୁ ବୋଲି ନିଜ ଇଚ୍ଛା ପ୍ରକଟ କରିଛନ୍ତି। ପୂର୍ବରୁ ଜୈଶ୍‌-ଇ-ମହମ୍ମଦର ପୁଲଓ୍ଵାମା ଆକ୍ରମଣକୁ ଆମେରିକା, ରୁଷ୍‌, ଫ୍ରାନ୍ସ, ଚୀନ ଆଦି ରାଷ୍ଟ୍ର ନିନ୍ଦା କରିଥିଲେ। ଏବେ ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆଉ କୌଣସି ହିଂସାତ୍ମକ ଆଚରଣ ପ୍ରଦର୍ଶନ ନକରି ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସହ କଥା ହେଉ ବୋଲି ଆମେରିକାର ସଚିବ ପୋମପେଓ କହିଛନ୍ତି। ଚୀନରେ ଭାରତ ପୁଲଓ୍ଵାମା ଆକ୍ରମଣ ଓ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ପ୍ରସଂଗ ଉଠାଇବା ପରେ ଭାରତକୁ ଚୀନରୁ ମଧ୍ୟ ସମର୍ଥନ ମିଳିଛି।

ସମ୍ବନ୍ଧିତ ଖବର