ରୁଷ୍ ଜେଟ୍‌ ଧକ୍କାରେ ଆମେରିକାର ଡ୍ରୋନ ଧ୍ବଂସ

ନୂଆଦିଲ୍ଲୀ: କୃଷ୍ଣ ସାଗରର ଆକାଶରେ ଆଜି ରୁଷ୍‌ର ଲଢ଼ୁଆ ବିମାନ ଏସ୍‌ୟୁ-୨୭ ଓ ଆମେରିକାର ଏମ୍‌କ୍ୟୁ-୯ ଡ୍ରୋନ ମଧ୍ୟରେ ଧକ୍କା ହୋଇଛି। ଆମେରିକା ବାୟୁସେନାର ଜେନେରାଲ ଜେମ୍ସ ହେକରଙ୍କ କହିବାନୁଯାୟୀ, ଏମକ୍ୟୁ-୯ ମାନବ ରହିତ ବିମାନଟି ଅନ୍ତର୍ଜାତୀୟ ଆକାଶ ଅଞ୍ଚଳରେ ରୁଟିନ ଅପରେସନ କରୁଥିବାବେଳେ ରୁଷ୍‌ର ଲଢ଼ୁଆ ବିମାନ ଧକ୍କା ଦେଇଥିଲା। ଫଳରେ ଡ୍ରୋନଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ରୁଷ୍‌ର ଏଭଳି କାର୍ଯ୍ୟକୁ ଆମେରିକା ଅଣପେସାଦାର କାର୍ଯ୍ୟ ବୋଲି ବର୍ଣ୍ଣନା କରିଛି। ଆମେରିକାର ଡ୍ରୋନ ସାମ୍ନାରେ ରୁଷର ଦୁଇଟି ଲଢ଼ୁଆ ବିମାନ ଖାମଖିଆଲି ଏବଂ ଅଣପେସାଦାର ଢଙ୍ଗରେ ଉଡ଼ାଯାଇଥିଲା। ଧକ୍କା ପୂର୍ବରୁ ଡ୍ରୋନ ଉପରେ ରୁଷର ଲଢ଼ୁଆ ବିମାନ ଇନ୍ଧନ ଢାଳିଥିଲା ବୋଲି ଆମେରିକା ସେନା କହିଛି।

ଅନ୍ୟପକ୍ଷରେ ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଆମେରିକାର ଡ୍ରୋନ ଏହାର ଟ୍ରାନ୍ସପୋଣ୍ଡରକୁ ବନ୍ଦ କରି ଉଡ଼ୁଥିଲା। ଟ୍ରାନ୍ସପୋଣ୍ଡର ହେଉଛି ଏକ ଯୋଗାଯୋଗ ଡିଭାଇସ ଯାହା ଜରିଆରେ ବିମାନକୁ ଟ୍ରାକ୍ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଆମେରିକାର ଏମକ୍ୟୁ-୯ ଡ୍ରୋନ ଉଭୟ ଉଭୟ ନିରୀକ୍ଷଣ ଏବଂ ଆକ୍ରମଣ କ୍ଷମତା ରଖିଥାଏ। ରୁଷର ନୌସେନା ଉପରେ ଏହା ନଜର ରଖିଥାଏ। ୧୫ କିମି ପର୍ଯ୍ୟନ୍ତ ଉଚ୍ଚତାରେ ୧୭୦୦ କିମି ପର୍ଯ୍ୟନ୍ତ ପଥ ଅତିକ୍ରମ କରିବା କ୍ଷମତା ଏହା ରହିଛି।

ସମ୍ବନ୍ଧିତ ଖବର