ଉତ୍ତର କୋରିଆର ‘ସବୁଠୁ ବଡ଼ ଶତ୍ରୁ’ ଆମେରିକା: କିମ୍‌ ଜୋଙ୍ଗ୍‌ ଉନ୍‌

ସିଓଲ୍‌: ଆଣବିକ ଅସ୍ତ୍ରରେ ବଳୀୟାନ୍‌ ତାଙ୍କ ଦେଶର ‘ସବୁଠୁ ବଡ଼ ଶତ୍ରୁ’ ଯୁକ୍ତରାଷ୍ଟ୍ର ଆମେରିକା ବୋଲି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିବା ଶନିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

ଜୋ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାର ଦୁଇ ସପ୍ତାହ ପୂର୍ବରୁ କିମ୍‌ ଏ କଥା ଘୋଷଣା କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଭଲ ନ ଥିଲା।

ସମ୍ବାଦ ସରବରାହ ସଂସ୍ଥାନ ‘କେସିଏନ୍‌ଏ’ ରିପୋର୍ଟ ଅନୁସାରେ, କୋରିଆର ଶାସକ ‘ଓ୍ଵାର୍କର୍ସ ପାର୍ଟି’ର ପଞ୍ଚବାର୍ଷିକୀ ମହାସଭାରେ କିମ୍‌ କହିଛନ୍ତି, ଆମ ବିପ୍ଳବର ବୃହତ୍ତମ ବାଧକ ଏବଂ ଆମର ସବୁଠୁ ବଡ଼ ଶତ୍ରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଅବଦମନ କରି ବିକାଶ ପଥରେ ଅଗ୍ରସର ହେବା ଉପରେ ପିୟୋଙ୍ଗ୍ୟାଙ୍ଗ୍‌ ଧ୍ୟାନ ଦେବ।

ଯେ କେହି କ୍ଷମତାରେ ଥିଲେ ବି ଉତ୍ତର କୋରିଆ ନିମନ୍ତେ ଆମେରିକା ନୀତିର ବାସ୍ତବ ସ୍ୱଭାବ କଦାପି ବଦଳିବ ନାହିଁ ବୋଲି ବାଇଡେନ୍‌ଙ୍କ ନାଁ ନ ଧରି କିମ୍‌ କହିଥିବା କଥା ‘କେସିଏନ୍‌ଏ’ ରିପୋର୍ଟ କରିଛି।

Image Courtesy of India Today

ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବିକାଶ ନିମନ୍ତେ ପିୟୋଙ୍ଗ୍ୟାଙ୍ଗ୍‌ ବିପୁଳ ସମ୍ବଳ ବିନିଯୋଗ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ଏହା ଆବଶ୍ୟକ ବୋଲି ଉତ୍ତର କୋରିଆ କହିଥିଲା।

କିମ୍‌ଙ୍କ ନେତୃତ୍ୱରେ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମ ଦ୍ରୁତ ଅଗ୍ରଗତି ହାସଲ କରିଛି। ଉତ୍ତର କୋରିଆ ଏ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିଛି ଯାହାକୁ ନିକ୍ଷେପ କଲେ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଉପରେ ପଡ଼ିବ।

ଏହାଛଡ଼ା, ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ନିମନ୍ତେ ମଧ୍ୟ ଉତ୍ତର କୋରିଆ ଯୋଜନା କରିସାରିଥିବା କଥା କିମ୍‌ ସୂଚନା ଦେଇଛନ୍ତି। ଏହା ସାମ୍ପ୍ରତିକ ରଣକୌଶଳ ନୀତିକୁ ବଦଳାଇ ଦେବ। ଖୁବ୍‌ ଶୀଘ୍ର ଏହାର ଚୂଡ଼ାନ୍ତ ପରୀକ୍ଷା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର