ଆଫଗାନିସ୍ତାନରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ର ‘ଆକ୍ରମଣ ଯୋଜନାକାରୀ’ଙ୍କ ଉପରେ ‘ଏୟାର୍‌ଷ୍ଟ୍ରାଇକ୍‌’ ଆରମ୍ଭ କଲା ଆମେରିକା

ନୂଆଦିଲ୍ଲୀ: କାବୁଲ୍‌ ବିମାନ ବନ୍ଦରରେ ମାରାତ୍ମକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିବାର ୪୮ଘଣ୍ଟା ନ ପୂରୁଣୁ ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବ-ଆଫଗାନିସ୍ତାନରେ ‘ଆଇଏସ୍‌ଆଇଏସ୍‌-କେ’ର ଜଣେ ସଦସ୍ୟଙ୍କ ଉପରେ ଡ୍ରୋନ୍‌ଦ୍ବାରା ବୋମା ନିକ୍ଷେପ କରିଥିବା କଥା ଆନ୍ତର୍ଜାତିକ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ‘ଆଇଏସ୍‌’ ସଙ୍ଗଠନର ଜଣେ ‘ଯୋଜନାକାରୀ’ଙ୍କୁ ଟାର୍ଗେଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକା ସେନା ଡ୍ରୋନ୍‌ ଆକ୍ରମଣ କରିଥିବା କଥା ମଧ୍ୟ ପେଣ୍ଟାଗନ୍‌ କହିଛି।

Image Courtesy of India Today

ଭବିଷ୍ୟତ ଆକ୍ରମଣ ଷଡ଼ଯନ୍ତ୍ରରେ ଉକ୍ତ ‘ଆଇଏସ୍‌ଆଇଏସ୍‌-କେ’ ଯୋଜନାକାରୀଜଣକ ଜଡ଼ିତ ଥିବା ସନ୍ଦେହ ହୋଇଥିଲା, କିନ୍ତୁ ଗୁରୁବାର କାବୁଲ୍‌ ଆକ୍ରମଣରେ ସେ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ନ ଥିଲା ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ ‘ବ୍ଲୁମ୍‌ବର୍ଗ ନିଉଜ୍‌ ଏଜେନ୍‌ସି’କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟାଏ ଗାଡ଼ିରେ ଯାତ୍ରା କରୁଥିବା ବେଳେ ଟାର୍ଗେଟ୍‌ କରାଯାଇଥିବା ଯୋଜନାକାରୀଜଣଙ୍କୁ ‘ରିପର୍‌ ଡ୍ରୋନ୍‌’ଦ୍ବାରା ହତ୍ୟା କରାଯାଇଛି।

Image Courtesy of The New York Times

‘ୟୁଏସ୍‌ ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖପାତ୍ର କ୍ୟାପ୍‌ଟେନ୍‌ ବିଲ୍‌ ଅର୍ବାନ୍‌ କହିଛନ୍ତି, ଉପରୋକ୍ତ ମାନବରହିତ ବିମାନ ଆକ୍ରମଣ ଆଫଗାନିସ୍ତାନର ନାଙ୍ଗରହାର୍‌ ପ୍ରଦେଶରେ ଘଟିଛି। ଟାର୍ଗେଟ୍‌ରେ ଥିବା ଯୋଜନାକାରୀଜଣଙ୍କ ନିହତ ହୋଇଛନ୍ତି ଏବଂ ଏଥିରେ କୌଣସି ସାଧାରଣ ନାଗରିକ ମରି ନ ଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ସ୍ମରଣଯୋଗ୍ୟ, ଗୁରୁବାର ଦିନ ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ବାଇଡେନ୍‌ ପଣକରି କହିଥିଲେ ଯେ ଆମେ କ୍ଷମା ଦେବୁନାହିଁ କି, ଭୁଲିଯିବୁ ନାହିଁ। ଆମେ ତୁମକୁ ଖୋଜି ବାହାର କରିବୁ ଆଉ ଶାସ୍ତି ଦେବୁ।

ସମ୍ବନ୍ଧିତ ଖବର