ସତସଙ୍ଗବିହାର ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ ଧକ୍କାରେ କନେଷ୍ଟବଳ ମୃତ, ୪ ଆହତ

ଅପମୃତ୍ୟୁ ମାମଲାର ଭିସେରା ପରୀକ୍ଷା ପାଇଁ ଆସିଥିଲେ ଅସିତ

ଭୁବନେଶ୍ବର: ଶୁକ୍ରବାର ଅପରହ୍‌ଣରେ ହଠାତ୍‌ ବାଣୀବିହାର ଫ୍ଲାଏଓଭରରୁ ଏକ ବୋଲେରୋ ଦ୍ରୁତ ଗତିରେ ମାଡ଼ିଆସିଲା। କେହି କିଛି ବୁଝିବା ପୂର୍ବରୁ ବୋଲେରୋଟି ସତସଙ୍ଗବିହାର ସମ୍ମୁଖରେ ପ୍ରଥମେ ଡିଭାଇଡ୍‌ରେ ଚଢ଼ିଯାଇ ଗୋଟିଏ ପରେ ‌ଗୋଟିଏ ବାଇକ୍‌କୁ ପଛରୁ ଧକ୍କା ଦେଇ ଚାଲିଲା। ଦୁର୍ଘଟଣା ଭୟାବହତା ଏଭଳି ଥିଲା ଯେ ଆଖପାଖରେ ଥିବା ଲୋକମାନେ ଜୀବନ ବିକଳରେ ଦୌଡ଼ିଲେ। ହେଲେ ଏହାରି ଭିତରେ ଜଣକ ଜୀବନ ନେଇଗଲା ବେପରୱା ବୋଲେରୋ ଚାଳକ। ବୋଲେରୋ ଧକ୍କାରେ ବୁଲେଟ୍‌ରେ ଯାଉଥିବା ଜଣେ ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହେଲେ। ମୃତ କନେଷ୍ଟବଳ ଜଣଙ୍କ ହେଲେ ସୋନପୁର ଉଲୁଣ୍ଡା ଥାନାର ଅସିତ କୁମାର ମିଶ୍ର(୫୫)।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଅସିତ ଉଲୁଣ୍ଡା ଥାନାର ଏକ ଅପମୃତ୍ୟୁ ମାମଲାର ଭିସେରା ପରୀକ୍ଷା ପାଇଁ ନମୁନା ଧରି ବୁଲେଟ୍‌ରେ ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌କୁ ଯାଉଥିଲେ। ସେ ସତ୍‌ସଙ୍ଗବିହାର ସମ୍ମୁଖ ଜାତୀୟ ରାଜପଥରେ ଯାଉଥିବାବେଳେ ଜୟଦେବବିହାର ପଟୁ ଓଭରବ୍ରିଜ୍‌ରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଭାରସାମ୍ୟ ହରାଇ ବାମପଟ ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ଏହାପରେ ପ୍ରଥମ‌େ ଅସିତଙ୍କ ବୁଲେଟ୍‌ ପରେ ଏକ ଆପାଚେ ବାଇକ୍‌କୁ ଧକ୍କା ଦେଇ କିଛି ଦୂରରେ ବୋଲେରୋଟି ଓଲଟି ପଡ଼ିଥିଲା। ଦୁର୍ଘଟଣା‌ ଯୋଗୁଁ ଅସିତ ବୁଲେଟ୍‌ ସହ ଛିଟିକି ଯାଇ ଡିଭାଇଡର୍‌ ଆରପଟେ କଚାଡ଼ି ହୋଇ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିରହିଥିଲେ। ସେହିପରି ଆପାଚେ ଚାଳକ ମଧ୍ୟ କିଛି ଦୂରରେ ପଡ଼ିଥିଲେ। ଲୋକେ ଧାଇଁ ଆସି ଅସିତ, ଆପାଚେ ଚାଳକ ଓ ବୋଲେରୋରେ ଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ହେଲେ ବୋଲେରୋରେ ଥିବା ଅନ୍ୟଜଣେ ଯୁବକ ଓ ଚାଳକ ଘଟଣାସ୍ଥଳରୁ ଫେରାର୍‌ ‌ହୋଇଯାଇଥିଲେ।

ଯାହାକୁ ନେଇ ସେଠାରେ କିଛି ସମୟପାଇଁ ଉତ୍ତେଜନା ଦେଖାଦେବା ସହ ରାସ୍ତା ଜାମ୍‌ ପରିସ୍ଥିତି ଉପୁଜିଥିଲା। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ଆଣିବା ସହ ଲୋକଙ୍କୁ ବୁଝାସୁଝା ପରେ ସ୍ଥିତି ଆୟତ ହୋଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅସିତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁକରି ଅସିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଫେରାର୍‌ ବୋଲେରୋ ଚାଳକକୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର