ତେଜିଲା ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରତିଯୋଗିତା ; ହାତ ମିଳାଇଲେ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ

ଲଣ୍ଡନ : ବିଶ୍ବରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି । ଏହି ଟେକନଲୋଜୀକୁ ଆହୁରି ବିକଶିତ କରିବା ପାଇଁ ହାତ ମିଳାଇଛନ୍ତି ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ । ଗତ ବର୍ଷ ଏହି ତିନି ଦେଶଙ୍କ ମଧ୍ୟରେ ଗଠିତ ଅକସ୍ ମେଣ୍ଟ ଆଣବିକ ବୁଡ଼ାଜାହାଜ ଟେକନଲୋଜୀ ହସ୍ତାନ୍ତର ପାଇଁ ଉଦ୍ଦିଷ୍ଟ ଥିଲା । ଏବେ ସେଥିରେ ହାଇପରସୋନିକ କ୍ଷେପଣାସ୍ତ୍ର, ତାହାର ନିରୋଧ, ଇଲେକ୍ଟ୍ରୋନିକ ଯୁଦ୍ଧ କୌଶଳକୁ ମଧ୍ୟ ସାମିଲ କରାଯାଇଛି । ଏହା ସହିତ ସାଇବର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ ଟେକନଲୋଜୀ କ୍ଷେତ୍ରରେ ବି ଏହି ୩ ଦେଶ କାର୍ଯ୍ୟ କରିବେ । ଚୀନର ପ୍ରଭାବକୁ ରୋକିବାକୁ ଏସବୁ ଟେକନଲୋଜୀକୁ ଆହୁରି ବିକଶିତ କରାଯିବ ବୋଲି ଅକସ ପକ୍ଷରୁ କୁହାଯାଇଛି ।

କ୍ରୁଜ କ୍ଷେପଣାସ୍ତ୍ର ଶବ୍ଦର ୫ଗୁଣ ବେଗରେ ଗଲେ ତାହାକୁ ହାଇପରସୋନିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ । ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦ ବେଗର ପାଞ୍ଚଗୁଣ ବେଗରେ ଗତି କରୁଥିବାରୁ ଏଗୁଡ଼ିକୁ ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକ ମଧ୍ୟ ଅଟକାଇପାରନ୍ତି ନାହିଁ ।  ଗତ ବର୍ଷ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ଯୋଗ ଦେଇଛନ୍ତି । ଇତି ମଧ୍ୟରେ ରୁଷ ୟୁକ୍ରେନ ଉପରେ ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା ଦାବି କରିଛି ।

ସମ୍ବନ୍ଧିତ ଖବର