ସର୍ବପୁରାତନ ଓ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହେଲା ବନ୍ଧୁତ୍ୱର ନୂଆ ଅଧ୍ୟାୟ: ଭାରତକୁ ୩ ବିଲିୟନ ଡଲାର ସାମରିକ ଯୁଦ୍ଧାସ୍ତ୍ର ବିକ୍ରୟ କରିବ ଆମେରିକା

ଅହମ୍ମଦାବାଦ: ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। ଖାଲି ଏତିକି ନୁହେଁ; ଆମେରିକାର ସାମରିକ ବାହିନୀ ହେଉଛି ସମଗ୍ର ବିଶ୍ୱର ଏକ ନମ୍ବର ସାମରିକ ବାହିନୀ। ଆମେରିକାର ସାମରିକ ବାହିନୀ ନିକଟରେ ଉପଲବ୍ଧ ରହିଛି ସମସ୍ତ ସର୍ବଶ୍ରେଷ୍ଠ ଓ ସର୍ବାଧୁନିକ ଯୁଦ୍ଧାସ୍ତ୍ର। ଆଉ ଏଥିପାଇଁ ଆମେରିକା ଖର୍ଚ୍ଚ କରିଛି କୋଟି କୋଟି ବିଲିୟନ ଡଲାର। ଆମେରିକା ଏବେ ସର୍ବାଧୁନିକ ସାମରିକ ବିମାନ ଠାରୁ ଆରମ୍ଭ କରି ନୌବହର, ଯୁଦ୍ଧାସ୍ତ୍ର, ଯୁଦ୍ଧ ସରଞ୍ଜାମ ପର୍ଯ୍ୟନ୍ତ ସବୁକିଛି ନିର୍ମାଣ କରୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Economics Times

ଆଜି ଠାରୁ ସପରିବାର ନିଜର ଦୁଇଦିନିଆ ଭାରତ ଗସ୍ତ ଆରମ୍ଭ କରିଥିବା ରାଷ୍ଟ୍ରପତି ଟ୍ରମ୍ପ ଗୁଜୁରାଟର ମୋଟେରା ଠାରେ ନବନିର୍ମିତ ବିଶ୍ୱର ସର୍ବବୃହତ ସର୍ଦ୍ଦାର ପଟେଲ କ୍ରିକେଟ ଷ୍ଟାଡ଼ିୟମ ଠାରେ ଆୟୋଜିତ ‘ନମସ୍ତେ ରାଷ୍ଟ୍ରପତି ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି, ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଓ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ବନ୍ଧୁତ୍ୱ ଏବେ ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଉଦାହାରଣ ସୃଷ୍ଟି କରିଛି। ଏହି ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ ଓ ନିବିଡ଼ କରିବା ଉଦ୍ଦେଶ୍ୟରେ ଆମେରିକା ଏବେ ନିଜର ସାମରିକ ଦୃଢ଼ତାର ହାତ ଭାରତ ଆଡ଼କୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି। ଏହିକ୍ରମରେ ଆମେରିକା ୩ ବିଲିୟନ ଡଲାର ମୂଲ୍ୟର ସାମରିକ ଯୁଦ୍ଧାସ୍ତ୍ର ଓ ସରଞ୍ଜାମ ଭାରତକୁ ବିକ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛି। ଆମେରିକା କେବଳ ମାତ୍ର ଭାରତକୁ ସାମରିକ ଯୁଦ୍ଧାସ୍ତ୍ର ଓ ସରଞ୍ଜାମ ବିକ୍ରୟ କରିବ ନାହିଁ ବରଂ ଉଭୟ ରାଷ୍ଟ୍ରର ସେନା ଏବେ ମିଳିତ ଭାବେ ସାମରିକ ସମରାଭ୍ୟାସ କରିବେ ବୋଲି ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି।

Scroll.in

ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ତା’ ନିଜ ରାଷ୍ଟ୍ରର ସୀମାକୁ ସୁରକ୍ଷା ଦେବା ସହ ସୁରକ୍ଷିତ ରଖିବା ହେଉଛି ତା’ର ପ୍ରଥମ ଓ ମୌଳିକ କର୍ତ୍ତବ୍ୟ।

ସମ୍ବନ୍ଧିତ ଖବର