କରୋନା ଟିକା-ଔଷଧ: ଚାଲିଛି ପରୀକ୍ଷାନିରୀକ୍ଷା, କିଛି କିଛି ସୁଫଳ ବି ମିଳୁଛି
କରୋନା ଭୂତାଣୁର ଚିକିତ୍ସା ନେଇ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଠାରୁ ଆରମ୍ଭ କରି ପ୍ଲାଜ୍ମା ଥେରାପି, ଛାତି ଜଳାପୋଡ଼ା ଉପଶମକ ଔଷଧ ଓ ଏଚ୍ଆଇଭି, ହେପାଟାଇଟିସ୍-ସି ଓ ଜଟିଳ କ୍ଲେରୋସିସ୍ ପାଇଁ ବ୍ୟବହୃତ ହେଉଥିବା ଔଷଧକୁ ନେଇ ରୋଗୀଙ୍କ ଦେହରେ ପରୀକ୍ଷା ଜାରି ରଖିଛନ୍ତି। କୋଭିଡ୍-୧୯ ଭୂତାଣକୁ ସଂପୂର୍ଣ୍ଣ ମାରିଦେବାର କିମ୍ବା ରୋକିବାର କୌଣସି ଔଷଧ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଅନେକ ସମୟରେ ରୋଗୀଙ୍କ ଶରୀରରେ କୌଣସି ଶ୍ବାସକ୍ରିୟା ଜନିତ ସମସ୍ୟା ନଥିବା ସତ୍ତ୍ବେ ଲୋକମାନେ କରୋନା ଆକ୍ରାନ୍ତ ଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଏକାଧିକ ଔଷଧର ସମାହାରକୁ ଡାକ୍ତରମାନେ ବିଚାରକୁ ନେଉଛନ୍ତି। ପ୍ଲାଜ୍ମା ଥେରାପି ଜରିଆରେ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡ଼ିକୁ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଦେହରେ ବ୍ୟବହାର କରାଯିବା ଦ୍ବାରା କିଛି ସୁଫଳ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହ ରେମଡିସିଭିର ବଟିକାକୁ ନିକଟରେ ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ମଧ୍ୟ ସ୍ବୀକୃତି ଦେଇଛି। ଏପରିକି କିଛି ଡାକ୍ତର ଛାତି ଜଳାପୋଡ଼ା ପାଇଁ ବ୍ୟବହୃତ ଔଷଧକୁ ମଧ୍ୟ କୋଭିଡ୍-୧୯ ରୋଗୀଙ୍କ କ୍ଷେତ୍ରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି। ୧୫୩୬ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ବେଳେ ସେମାନେ ସୁସ୍ଥ ହୋଇଥିବା ଲକ୍ଷ୍ୟ କରାଯାଇଛି। ଛାତି ଜଳାପୋଡ଼ା ପାଇଁ ଉଦ୍ଦିଷ୍ଟ ଔଷଧରେ ପେପସିଡ୍ ରହିଥାଏ। ତେବେ କିଛି ଗବେଷକ ଏହାକୁ ଏକ ସଂଯୋଗ ବା କୋଇନସିଡେନ୍ସ ହୋଇପାରେ ବୋଲି କହିବାକୁ ପଛାଇ ନାହାନ୍ତି। ସେହିପରି ଏଚ୍ଆଇଭି, ହେପାଟାଇଟିସ୍-ସି ଓ ଜଟିଳ ସ୍କ୍ଲେରୋସ୍ ପାଇଁ ବ୍ୟବହୃତ ହେଉଥିବା ଆଣ୍ଟିଭାଇରାଲ ଔଷଧକୁ ଏକତ୍ର ଭାବେ ଦିଆଯାଉଥିବା କିଛି ରୋଗୀ ସୁସ୍ଥ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଭଳି ଔଷଧକୁ ବିଶ୍ବବ୍ୟାପୀ ଚର୍ଚା ହୋଇଥିବା ବେଳେ ଆମେରିକାର କିଛି ଡାକ୍ତର କହିଛନ୍ତି ଏହାକୁ ଖାଇବା ଦ୍ବାରା ରୋଗୀଙ୍କ ଶରୀରରେ କୁପ୍ରଭାବ ପଡୁଛି। ତେଣୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧର ବ୍ୟବହାର ନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ଆରମ୍ଭ ହେବା ସମୟରେ କେବଳ ଫୁସଫୁସ୍ ଉପରେ ଡାକ୍ତରମାନେ ଅଧିକ ଗୁରୁତ୍ବ ଦେଉଥିଲେ। ଏଥିପାଇଁ ଭେଣ୍ଟିଲେଟର୍ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିଲା। ମାତ୍ର ପରବର୍ତୀ ସମୟରେ କୋଭିଡ୍ କେବଳ ଫୁସଫୁସ୍ ନୁହେଁ, ଶରୀରର ଅନ୍ୟ ଅଙ୍ଗ ଯଥା ମସ୍ତିଷ୍କ, କିଡ୍ନି, ଯକୃତ, ଅନ୍ତଃନଳୀ ଓ ଚର୍ମ ଆଦି ଅଚଳ ହୋଇଯାଉଥିବା ନଜରକୁ ଆସିଥିଲା।
ଏପରିକି ଆକ୍ରାନ୍ତଙ୍କ ଶ୍ବାସକ୍ରିୟା ଜନିତ କୌଣସି ସମସ୍ୟା ନ ଥିବା ବେଳେ ଅମ୍ଲଜାନା ସାନ୍ଦ୍ରତା କମିଯିବା କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ। ଏଭଳି ପରିସ୍ଥିତି ଯୋଗୁଁ ସଂପୃକ୍ତ ରୋଗୀମାନେ ନିମୋନିଆର ଶିକାର ହେଉଥିବା ଜଣାପଡ଼ିଥିଲା, ଯାହାକୁ କି ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା କଷ୍ଟକର। ତେଣୁ ଡାକ୍ତରମାନେ ଏବେ ଅକ୍ସିମିଟର ବ୍ୟବହାର କରି ଜଣେ ବ୍ୟକ୍ତିର ଅମ୍ଲଜାନ ସାନ୍ଦ୍ରତା ଜାଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବିଶ୍ବର ଅନେକ ଡାକ୍ତରଖାନାରେ ଡାକ୍ତରମାନେ ରୋଗୀଙ୍କୁ ପେଟ ମାଡ଼ି ଶୁଆଉଥିବା ଦେଖିବାକୁ ମିଳିଛି। ଫଳରେ ଏହା ସଂପୃକ୍ତ ବ୍ୟକ୍ତିଙ୍କ ଫୁସଫୁସ୍ର ଚାପକୁ କମ୍ କରିବାରେ ସହାୟକ ହୋଇପାରୁଛି ଓ ଅମ୍ଲଜାନ ସ୍ତର ସାଧାରଣସ୍ତରକୁ ଆସି ପାରୁଛି। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ନିଃଶ୍ବାସପ୍ରଶ୍ବାସ ପାଇଁ ଭେଣ୍ଟିଲେଟର୍, ହୃତ୍ପିଣ୍ଡ ପାଇଁ ରକ୍ତଚାପ ଚିକିତ୍ସା ଏବଂ ଡାଏଲିସିସର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି।