ରିପୋର୍ଟର ନକଲ ମାଗିଲେ ପୀଡିତା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଅଭ୍ୟନ୍ତରୀଣ ତଦନ୍ତ କମିଟି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଯୌନ ନିର୍ଯାତନା ମାମଲାରେ କ୍ଲିନ୍‌ଚିଟ୍‌ ଦେବା ପରେ ଅଭିଯୋଗକାରୀ ମହିଳା ତଦନ୍ତ ରିପୋର୍ଟର ନକଲ ଦାବି କରିଛନ୍ତି।
ତଦନ୍ତ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାନଯିବା ଏବଂ ତାଙ୍କୁ ନଦେବା ନ୍ୟାୟକୁ ଆଘାତ ଦେଉଛି ବୋଲି କହିଛନ୍ତି ପୀଡିତା ମହିଳା କର୍ମଚାରୀ। ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ଅଭିଯୋଗକାରୀଙ୍କୁ ରିପୋର୍ଟର ନକଲ ନଦେବା ପ୍ରାକୃତିକ ନୀତିନିୟମର ଉଲ୍ଲଙ୍ଘନ ବୋଲି ପୀଡିତା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆଭ୍ୟନ୍ତରୀଣ କମିଟିର ନିୟମକୁ ବ୍ୟବହାର କରାଯାଇ ତାଙ୍କର ନକଲ ପାଇବାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ସୂଚନା ଥାଉକି, ସୋମବାର ସୁପ୍ରିମ କୋର୍ଟ ମହାସଚିବ ତଦନ୍ତ ରିପୋର୍ଟ ଆଧାରରେ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ମାମଲା ଭିତ୍ତିହୀନ ବୋଲି ଘୋଷଣା କରିଥିଲେ। ନିୟମ ଅନୁଯାୟୀ, ତଦନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯିବନି ବୋଲି ମହାସଚିବ ସୂଚନା ଦେଇଥିଲେ। ତଦନ୍ତ ରିପୋର୍ଟର ନକଲ ପରବର୍ତ୍ତୀ ବରିଷ୍ଠ ବିଚାରପତି ଏବଂ ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର