‘ପୀଡିତା ମାମଲା ରୁଜୁ କରିପାରିବେ’

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଆଭ୍ୟନ୍ତରୀଣ ତଦନ୍ତ କମିଟି ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌ ଦିଆଯିବ ପରେ ପୀଡିତା ମହିଳା କର୍ମଚାରୀ କହିଛନ୍ତି ସେ ଯାହା ଆଶଙ୍କା କରୁଥିଲେ ତାହା ହୋଇଛିI ତେବେ ଇତି ମଧ୍ୟରେ ବରିଷ୍ଠ ଆଡ଼ଭୋକେଟ୍‌ ପ୍ରଶାନ୍ତ ଭୂଷଣ କହିଛନ୍ତି, ପୀଡ଼ିତାଙ୍କ ପାଇଁ ବିଭିନ୍ନ ପ୍ରକାରର ନ୍ୟାୟିକ ରାସ୍ତା ଅଛି। ପୀଡିତା ପୁଲିସ ଥାନାରେ ମାମଲା ରୁଜୁ କରିପାରିବେ। କିନ୍ତୁ ଏଥି ପାଇଁ ରାଷ୍ଟ୍ରପତିଙ୍କ ଅନୁମତିର ଆବଶ୍ୟକ। ଆଭ୍ୟନ୍ତରୀଣ ତଦନ୍ତ କମିଟିର ରିପୋର୍ଟ ସର୍ବସାଧାରଣରେ ଘୋଷଣା କରିଯିବା ପରେ ପୀଡିତା କହିଛନ୍ତି ସେ ଅତ୍ୟନ୍ତ ନିରାଶ। ସେ ତଦନ୍ତ କମିଟିର ରାୟକୁ ଜଣେ ଭାରତୀୟ ମହିଳାଙ୍କ ପ୍ରତି ଏହା ଘୋର ଅନ୍ୟାୟ ବୋଲି କହିଛନ୍ତି। ସେ ସବୁ ତଥ୍ୟ ଦେବା ପରେ ମଧ୍ୟ ତଦନ୍ତ କମିଟି ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବାରୁ ସେ ଅତ୍ୟନ୍ତ ଭୟଭୀତ। ତାଙ୍କ ପରିବାର ଚାପରେ ଅଛନ୍ତି ଏବଂ ଆକ୍ରମଣର ଆଶଙ୍କା ମଧ୍ୟ ରହିଥିବା ପୀଡିତା ମହିଳା କହିଛନ୍ତି। ପ୍ରଭାବଶାଳୀଙ୍କ ବିରୋଧରେ ଦୁର୍ବଳଙ୍କୁ ନ୍ୟାୟ ଦେବା କ୍ଷମତା ଉପରେ ସେ ପ୍ରଶ୍ନ କରିଛନ୍ତି। ସେ ତାଙ୍କ ଆଡ଼ଭୋକେଟ୍‌ଙ୍କ ସହ ପରାମର୍ଶ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସୂଚନା ଥାଉକି, ସୁପ୍ରିମ କୋର୍ଟର ସମ୍ପୃକ୍ତ ମହିଳା କର୍ମଚାରୀ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଏପ୍ରିଲ ୧୯ରେ ଯୌନ ନିର୍ଯାତନାର ଅଭିଯୋଗ ଆଣି କୋର୍ଟର ୨୨ ଜଣ ବିଚାରପତିଙ୍କ ଠାରେ ସତ୍ୟପାଠ ଦାଖଲ କରିଥିଲେ। ଏହା ପରେ ଜଷ୍ଟିସ୍‌ ଏସ୍‌ ବୋବ୍‌ଡେ, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିଲା।

ସମ୍ବନ୍ଧିତ ଖବର