ଭିଡ଼ିଓ କଲ୍ ମିଟିଂ: ୧୦ ମିନିଟ୍ ମଧ୍ୟରେ ୪୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କଲା ଏହି ଟେଲିକମ୍ କମ୍ପାନୀ

ଅଟୱା: ପ୍ରତ୍ୟେକ ଦିନ ଆମେ ବିଭିନ୍ନ କମ୍ପାନୀରେ ଛଟେଇ ଖବର ଶୁଣିଥାଉ । ଗୁଗୁଲ ସମେତ ଅନେକ ବଡ ବଡ କମ୍ପାନୀ ସେମାନଙ୍କ ଖର୍ଚ୍ଚ ହ୍ରାସ କରିବାକୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏବେ କାନାଡାର ଅଗ୍ରଣୀ ଟେଲିକମ୍ କମ୍ପାନୀ ବେଲରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଛି। କମ୍ପାନୀ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ୧୦ ମିନିଟର ଭିଡିଓ କଲରେ ଚାକିରିରୁ ବାହାର କରିଥିଲେ।

କାନାଡାର ସର୍ବବୃହତ ବେସରକାରୀ କ୍ଷେତ୍ର କର୍ମଚାରୀ ସଂଘ ୟୁନିଫର୍ ଏହାକୁ ଦୃଢ ନିନ୍ଦା କରିଛି। ୟୁନିଫର୍ କହିଛି ଏହି ଅଣସମ୍ବେଦନଶୀଳ ଢଙ୍ଗରେ କାର୍ଯ୍ୟରତ ଲୋକଙ୍କୁ ଚାକିରିରୁ ବାହାର କରିବା ନିଷ୍ପତ୍ତି ଅତ୍ୟନ୍ତ ଭୁଲ ଅଟେ। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୟୁନିଫର୍ ପକ୍ଷରୁ କମ୍ପାନୀ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦ୍ଧତିକୁ ଲଜ୍ଜାଜନକ ବୋଲି କୁହାଯାଇଛି। ଏହି କର୍ମଚାରୀମାନେ ଦୀର୍ଘ ଦିନ ଧରି କମ୍ପାନୀ ପାଇଁ କାର୍ଯ୍ୟ କରୁଥିଲେ। ସେମାନଙ୍କୁ ଚାକିରିରୁ ହଟାଇବା ପାଇଁ ବେଲ ପକ୍ଷରୁ ମାତ୍ର ୧୦ ମିନିଟର ଏକ ଭର୍ଚୁଆଲ୍ ଗ୍ରୁପ୍ ବ‌ୈଠକ କରି ୪୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି। ସେମାନଙ୍କୁ କମ୍ପାନୀ ଉପରେ ବୋଝ ବୋଲି କୁହାଯାଇଥିଲା। ଏହି ବୈଠକରେ ଜଣେ ମ୍ୟାନେଜର ଆସିଥିଲେ। ତାଙ୍କ ପାଖରେ ଛଟେଇ ସମ୍ପର୍କିତ ଚିଠି ଥିଲା। ମ୍ୟାନେଜର କୌଣସି କର୍ମଚାରୀଙ୍କ ସହ କିମ୍ବା ୟୁନିଅନ ସହ ଆଲୋଚନା କରି ନ ଥିଲେ। ମ୍ୟାନେଜର କମ୍ପାନୀର ନିଷ୍ପତ୍ତି ଘୋଷଣା କରିବା ଆରମ୍ଭ କରିଥିଲେ। ସମସ୍ତ କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଦିଆଯାଇଥିଲା । ସୂଚନାନୁସାରେ, ଏହି ୧୦ ମିନିଟର ଭିଡିଓ କଲିଂରେ କର୍ମଚାରୀ ଏବଂ ୟୁନିଅନ୍ କୁ ଅନମ୍ୟୁଟ୍ କରା ଯାଇ ନ ଥିଲା। ଯାହାଫଳରେ କମ୍ପାନୀକୁ କେହି ପ୍ରଶ୍ନ ପଚାରି ପାରିବେ ନାହିଁ। ମ୍ୟାନେଜର କେବଳ କର୍ମଚାରୀଙ୍କ ଛଟେଇ ବିଷୟରେ ସୂଚନା ଦେଇଥିଲେ ଏବଂ କାହାକୁ କହିବାର ସୁଯୋଗ ମଧ୍ୟ ଦେଇ ନ ଥିଲେ। ୟୁନିଫୋରର କ୍ୟୁବେକ୍ ନିର୍ଦ୍ଦେଶକ ଡାନିଏଲ୍ କ୍ଲାଉଟିଅର୍ ଏକ ବିବୃତ୍ତିରେ କହିଛନ୍ତି ଯେ ଟେଲିକମ୍ ଏବଂ ମିଡିଆ ଜଏଣ୍ଟ୍ ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ତାଙ୍କ ସଦସ୍ୟଙ୍କୁ ପିଙ୍କ୍ ସ୍ଲିପ୍ସ ଦିଆଯାଇଛି। ଏହା ଲଜ୍ଜାଜନକ। ଏକ ବିବୃତ୍ତିରେ ବେଲର ଯୋଗାଯୋଗ ନିର୍ଦ୍ଦେଶକ ଏଲେନ୍ ମର୍ଫି କହିଛନ୍ତି କର୍ମଚାରୀଙ୍କୁ ପ୍ୟାକେଜ୍ ଉପରେ ଆଲୋଚନା ଏବଂ ପ୍ରଶ୍ନ ପଚାରିବା ପାଇଁ ଏଚଆରଙ୍କ ସହିତ ବ୍ୟକ୍ତିଗତ ବୈଠକ କରାଯାଇଥିଲା।

ସମ୍ବନ୍ଧିତ ଖବର