କଂଗ୍ରେସରୁ ଇସ୍ତଫା ଦେଲେ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଦଳର କଶ୍ମୀର ନୀତି ସହ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ମେଳ ଖାଉନାହିଁ ବୋଲି ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ।

ନିଜର ଇସ୍ତଫା ସଂପର୍କରେ ଟୁଇଟ କରି ସେ ଲେଖିଛନ୍ତି “ ମୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଉଛି । ଜାତୀୟ ସ୍ବାର୍ଥ ସହ ଜଡ଼ିତ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ମୋର ବ୍ୟକ୍ତିଗତ ମତ କଂଗ୍ରେସ ଦଳର ମତ ସହ ମେଳ ଖାଉନାହିଁ । କଂଗ୍ରେସ ପ୍ରକୃତ ବାସ୍ତବତାଠାରୁ ଦୂରରେ ରହିଛି ।“

ବିକ୍ରମାଦିତ୍ୟ ବରିଷ୍ଠ କଂଗ୍ରେସ ନେତା ଡ. କରନ ସିଂଙ୍କ ପୁଅ । ସେ ୨୦୧୯ ଲୋକସଭା ନିର୍ବାଚନରେ ଉଦ୍ଧମପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ । ସେ ମଧ୍ୟ ୨୦୧୫ରେ ଜମ୍ମୁ ଓ କଶ୍ମୀର ବିଧାନ ପରିଷଦର ସଦସ୍ୟ ମନୋନୀତ ହୋଇଥିଲେ । ୨୦୧୫ ଅଗଷ୍ଟରେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଜମ୍ମୁ ଓ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ଥିଲେ ।

ସୂଚନାଯୋଗ୍ୟ ଯେ ୧୯୪୭ରେ ଭାରତ ସ୍ବାଧୀନତା ଓ ବିଭାଜନ ସମୟରେ ମହାରାଜା ହରି ସିଂ ଜମ୍ମୁ ଓ କଶ୍ମୀରର ମହାରାଜା ଥିଲେ । କଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ କରିବା ପରେ ସେ ଭାରତ ସହ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ।

ସମ୍ବନ୍ଧିତ ଖବର