ଅରୁଣାଚଳରେ ପିଆରସି ପ୍ରସଙ୍ଗ:ହିଂସା ଜାରି, ପୁଲିସ ଗୁଳିରେ ୨ ମୃତ

ଇଟାନଗର: ସ୍ଥାୟୀ ଆବାସିକ ପ୍ରମାଣପତ୍ର (ପିଆରସି) ପ୍ରସଙ୍ଗକୁ କେନ୍ଦ୍ର କରି ଅରୁଣାଚଳପ୍ରଦେଶରେ ଚାଲିଥିବା ଆନ୍ଦୋଳନ ଭୀଷଣ ହିଂସାତ୍ମକ ମୋଡ଼ ନେଇଛି। ୬ଟି ସମ୍ପ୍ରଦାୟକୁ ସ୍ଥା‌ୟୀ ଆବାସିକ ପ୍ରମାଣପତ୍ର ଦେବା‌ ଘଟଣାକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଏବେ ରାଜ୍ୟରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। ଆନ୍ଦୋଳନକାରୀମାନେ ଗତକାଲି ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇଦେଇଥିବା ବେଳେ ପୁଲିସ ଗୁଳିରେ ୨ ଜଣ ପ୍ରାଣ ହରାଇଛନ୍ତି। ଅପରପକ୍ଷେ, ୬ଟି ସମ୍ପ୍ରଦାୟକୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ଦେବା ପ୍ରସଙ୍ଗ ଏବେ ଶେଷ ‌ହେଲା ବୋଲି ଆଜି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରାଜ୍ୟବାସୀମାନଙ୍କୁ ପ୍ରତିଶ୍ରୁତି ଓ ଆଶ୍ବାସନା ଦେଇଛନ୍ତି। ଏହା ସତ୍ତ୍ବେ ଆନ୍ଦୋଳନ ଥମିବାର ନାଁ ନେଉନି। ଆଜି ଅପରାହ୍ନରେ ମଧ୍ୟ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବାସଭବନ ଆଡ଼କୁ ପଦଯାତ୍ରା‌ରେ ଯାଇ ପ୍ରବଳ ପଥର ମାଡ଼ କରିଥିଲେ। ଆୟତ୍ତ କରିବାକୁ ଯାଇ ପୁଲିସ ଗୁଳିରେ ଜଣେ ଆହତ ହୋଇଛି। ଇଟାନଗରରେ ଏବେ ବିପୁଳ ସଂଖ୍ୟାରେ ସେନା ମୁତୟନ ‌ହୋଇଛନ୍ତି। ଗତ ଶନିବାରଠାରୁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ଗତକାଲି ସନ୍ଧ୍ୟାରେ କେନ୍ଦ୍ର ସରକାର ଅରୁଣାଚଳକୁ ୧,୦୦୦ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ସେପଟେ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଏନ୍‌ପିପି, ପିପିଏ ଏବଂ କଂଗ୍ରେସ ଅଂଶଗ୍ରହଣ କରିବେନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର