ଆମେରିକାର ହିଂସା, ସ୍ବପ୍ନ ଚୁର୍‌ମାର୍‌ କରିବ ରଙ୍ଗଭେଦ

ରଙ୍ଗଭେଦକୁ ନେଇ ଆମେରିକାରେ ହିଂସା ନୂଆ ନୁହେଁ। ‌ତେବେ ଆମେରିକାର ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ଜଟିଳତା ଭିତରେ ଏହି ରଙ୍ଗଭେଦ ହିଂସା ଏବେ ନୂଆ ମୋଡ଼ ନେଇଛି। କଳା ଗୋରା ଭେଦଭାବକୁ ଉସୁକାଇବା ଭଳି କେତେକ ବୟାନ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶକୁ ବାରୁଦ ଗଦାରେ ଛିଡ଼ା କରାଇ ଦେଇଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ପୁଲିସ ବର୍ବରତାରେ ଜର୍ଜ‌୍ ଫ୍ଲୟଡ୍‌ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଯେଉଁ ପ୍ରତିବାଦ ଓ ବିରୋଧର ସ୍ବର ଉଠିଛି ତାହା ଅଦ୍ଭୂତପୂର୍ବ। ଭୟାନକ ହିଂସା ଓ ଲୁଟ୍‌ପାଟ୍‌ ଯୋଗୁଁ ଆମେରିକାର ନାଗରିକ ସମାଜ ଏବେ ଟ୍ରମ୍ପ୍‌ ପ୍ରଶାସନ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ବିଭିନ୍ନ ରାସ୍ତା ଆପଣାଇଛନ୍ତି। ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା, ଜର୍ଜ‌୍ ଡବ୍ଲ୍ୟୁ ବୁଶ୍‌, ବିଲ୍‌ କ୍ଲିଣ୍ଟନ୍‌ ଏବଂ ଜିମ୍ମି କାର୍ଟର ଜର୍ଜ‌୍ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରବର୍ତ୍ତୀ ହିଂସା ନେଇ ଟ୍ରମ୍ପ୍‌ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଫ୍ଲୟଡ୍‌ଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କ ବୟାନ ଓ ବିଚାରଧାରା ସମସ୍ୟା‌ ବଢ଼ାଇ ଦେଇଥିଲା ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା ବୋଲି ଏହି ୪ ପୂର୍ବ ରାଷ୍ଟ୍ରପତି ମତ ଦେଇଛନ୍ତି। ଦେଶରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ଏବଂ ଲୋକଙ୍କ ବିଶ୍ବାସ ଭଙ୍ଗ ହୋଇଥିବାରୁ ଏହାର ସୁଧାର ପାଇଁ ନିଷ୍ଠାର ସହ ବହୁତ କିଛି କରିବାକୁ ପଡ଼ିବ ବୋଲି ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା କହିଛନ୍ତି। ଆମେରିକା ଲୋକଙ୍କୁ ଏକଜୁଟ୍‌ ରଖିବା ବଦଳରେ ବିଭାଜନ ଭିରତକୁ ଠେଲିଦେବା ଘୋର ଅନ୍ୟାୟ ବୋଲି ପୂର୍ବ ରାଷ୍ଟ୍ରପତି ବୁସ୍‌ ଏବଂ କ୍ଲିଣ୍ଟନ୍‌ ମତ ରଖିଛନ୍ତି। ଦେଶରେ ଜନଗଣଙ୍କ ସ୍ବାର୍ଥର ସୁରକ୍ଷା ନିମନ୍ତେ ଯେଉଁ ପଦକ୍ଷେପ ନିଆଯିବ ତାହା କଦାପି ବିଭାଜନକାରୀ ହୋଇପାରିବ ନାହିଁ ବୋଲି ପୂର୍ବ ରାଷ୍ଟ୍ରପତି ଜିମ୍ମି କାର୍ଟର୍‌ କହିଛନ୍ତି।

ବୈଶ୍ବିକ ମହାମାରୀ କରୋନା ମୁକାବିଲା ନେଇ ଟ୍ରମ୍ପ୍‌ଙ୍କ ରଣନୀତିକୁ ବିରୋଧୀ ଦଳ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବାରୁ ଏନେଇ ଆଗକୁ ଟ୍ରମ୍ପ୍‌ଙ୍କ ସମସ୍ୟା ବଢ଼ିବ। ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସ୍ବାସ୍ଥ୍ୟବୀମା ଯୋଜନାକୁ ଟାର୍ଗେଟ୍‌ କରି ଟ୍ରମ୍ପ୍‌ ଯେଉଁ ନୀତି ଆପଣାଇଛନ୍ତି ତାହା ଦେଶ ସ୍ବାର୍ଥର ବିରୋଧୀ ବୋଲି ଜୋ ବାଇଡେନ୍‌ କହିଛନ୍ତି । ଏହାକୁ ଅସ୍ତ୍ର କରି ସେ ପ୍ରଚାରକୁ ଓହ୍ଲାଇ ସା‌ରିଥିବାରୁ ଟ୍ରମ୍ପ୍‌ ଏହାର କିଭଳି ମୁକାବିଲା କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଚୀନ୍‌ ସହ ବାଣିଜ୍ୟିକ ଲଢ଼େଇରେ ଟ୍ରମ୍ପ୍‌ଙ୍କ ନୀତିକୁ ମଧ୍ୟ ସମର୍ଥନ ମିଳୁନଥିବାରୁ ଏହା ତାଙ୍କର ସମସ୍ୟା ବଢ଼ାଇ ଦେଇଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଚୀନ୍‌ ବିରୋଧୀ କଡ଼ା ଆଭିମୁଖ୍ୟ ଏବଂ ଉଗ୍ର ଜାତୀୟତାବାଦ ଟ୍ରମ୍ପ୍‌ଙ୍କ ରାଜନୈତିକ ଭବିଷ୍ୟତକୁ ଉଜ୍ଜ୍ବଳ କରିବ କି ଅନ୍ଧାର ଭିତରକୁ ଠେଲିଦେବ ତାହା ଆଉ କିଛି ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ତେବେ ଦେଶରେ ରଂଗଭେଦ ହିଂସାକୁ ନିୟନ୍ତ୍ରଣ ନକଲେ ଏହା ଟ୍ରମ୍ପ୍‌ଙ୍କ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହେବା ଆଶାକୁ ଧୁଳିସାତ୍‌ କରିଦେବ ବୋଲି ବିଭିନ୍ନ ମହଲ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର