ଭୂତାଣୁବାହୀ ଜଳକଣିକା ବାୟୁରେ ୧୦ ମିଟର ଯାଏ ଯାଇପାରିବ

ନୂଆ ପରାମର୍ଶାବଳିରେ ମୁକ୍ତବାୟୁ ସଂଚାଳନ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ମହାମାରୀ କରୋନାଭୂତାଣୁ ସାଧାରଣତଃ ଆମେ କାଶିବା ବା ଛିଙ୍କିବା ଦ୍ବାରା ମୁହଁରୁ ନିସୃତ ଜଳକଣିକାରେ ବାୟୁମଣ୍ଡଳକୁ ପ୍ରବାହିତ ହୋଇ ପରେ ଅନ୍ୟ ଶରୀରକୁ ପରିବାହିତ ହେଉଥିବା କଥା ସମସ୍ତଙ୍କୁ ଜଣା। ତେବେ ଏହି ଭୂତାଣୁବାହୀ ଜଳକଣିବା ବା ବାୟୁପୁଡ଼ିଆ ବାୟୁମଣ୍ଡଳରେ ଦୀର୍ଘ ୧୦ ମିଟର ଯାଏ ପ୍ରବାହିତ ହୋଇପାରିବ ବୋଲି ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ତଦନୁସାରେ ସାମାଜିକ ଦୂରତା ବଜାୟ ରଖି ସଂକ୍ରମଣଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକର ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ନୂଆ ପରାମର୍ଶାବଳି ଜାରି କରାଯାଇଛି।

ଏଥିରେ ମୁଖ୍ୟତଃ ଅପେକ୍ଷାକୃତ ମୁକ୍ତବାୟୁ ସଂଚାଳନ ଉପରେ ଗୁରୁତ୍ବାରୋପ କରାଯାଇଛି। ଏହା ଯୋଗୁଁ ସଂଲଗ୍ନ ବାୟୁମଣ୍ଡଳରେ ଭୂତାଣୁର ସାନ୍ଦ୍ରତା କମିଯିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ୍‌ ରହିବ ବୋଲି କୁହାଯାଇଛି। ସୁତରାଂ ସୁସଂଚାଳିତ ବାୟୁଯୁକ୍ତ ବାସସ୍ଥଳୀ, କର୍ମସ୍ଥଳୀ ଏବଂ ଅନ୍ୟାନ୍ୟ ସମବେତ କେନ୍ଦ୍ରୀଭୂତ ସ୍ଥାନମାନଙ୍କରେ ସଂକ୍ରମଣକୁ ଯଥେଷ୍ଟ କମାଇ ଦିଆଯାଇପାରିବ। ତେଣୁ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ଉପରୋକ୍ତ ସ୍ଥାନମାନଙ୍କରେ ଯଥାସମ୍ଭବ ମୁକ୍ତ ବାୟୁ ସଂଚାଳନ ବଢ଼ାଇବା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ କରାଯାଇଛି। ବିଶେଷ କରି ଆବଶ୍ୟକ ସଂଖ୍ୟକ ପଙ୍ଖା ବ୍ୟବସ୍ଥା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ସମେତ ଝରକାଗୁଡ଼ିକୁ ଉନ୍ମୁକ୍ତ ରଖିବାକୁ କୁହାଯାଇଛି। ସେହିପରି ଆବଶ୍ୟକ ସ୍ଥଳେ ନିଷ୍କାସନ ପଙ୍ଖା ସହ ମୁକ୍ତ ବାୟୁ ସଂଚାଳନ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ଏଥି ସହିତ ମହାମାରୀ ସହ ଯୁଝିବା ଲାଗି ନିୟମିତ ମାସ୍କ ପରିଧାନ ସହ ସାମାଜିକଦୂରତା ବଜାୟ ରଖିବା ଲାଗି ମଧ୍ୟ ପରାମର୍ଶ କରାଯାଇଛି।

ସମ୍ବନ୍ଧିତ ଖବର