୭୦ ହଜାରର ସାର୍ଟ, ୫୦ ଲକ୍ଷର ଘଣ୍ଟା ପିନ୍ଧୁଛନ୍ତି ୱାଙ୍ଖଡେ: ନୱାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ତାଙ୍କ ଆକ୍ରମଣ ଜାରି ରଖିଛନ୍ତି। ମଲିକ କହିଛନ୍ତି, ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ଦାଦାବଟି ଦ୍ବାରା କୋଟି କୋଟି ଟଙ୍କା ଆଦାୟ କରିଛନ୍ତି। ସେ ଖୁବ୍‌ ଦାମୀ ପୋଷାକ ଏବଂ ଘଣ୍ଟା ପିନ୍ଧୁଛନ୍ତି। ୱାଙ୍ଖଡେ ଯେଉଁଭଳି ପୋଷାକ ଏବଂ ଘଣ୍ଟା ପିନ୍ଧୁଛନ୍ତି ତାହା ଜଣେ ସଚ୍ଚୋଟ ଅଫିସର୍‌ଙ୍କ ସକ୍ଷମ ବାହାରେ। ୱାଙ୍ଖଡେ ୭୦ ହଜାର ଟଙ୍କାର ପୋଷାକ ପିନ୍ଧୁଛନ୍ତି ଏବଂ ୨୫-୫୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧୁଛନ୍ତି ବୋଲି ମଲିକ କହିଛନ୍ତି। ଜଣେ ସଚ୍ଚୋଟ ଅଫିସର୍‌ ଏତେ ଦାମୀ ପୋଷାକ କେମିତି କିଣିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ମଲିକ କହିଛନ୍ତି, ୱାଙ୍ଖଡେ ଅନେକ ଲୋକଙ୍କ ବିରୋଧରେ ଭୁଲ୍‌ ମାମଲା ରୁଜୁ କରିଛନ୍ତି। ୱାଙ୍ଖଡେ ଅନେକ ଲୋକଙ୍କୁ ଭୁଲ୍ ମାମଲାରେ ଫସାଇଛନ୍ତି ଏବଂ କୋଟି କୋଟି ଟଙ୍କାର ଦାଦାବଟି ଆଦାୟ କରିଛନ୍ତି। ଗତ ୧୫ ଦିନ ଧରି ଜେଏନ୍‌ପିଟିରେ ୩ ଟ୍ରକ୍‌ ଡ୍ରଗ୍‌ ପଡ଼ି ରହିଛି। ରାଜସ୍ବ ଗୁଇନ୍ଦା ବିଭାଗ ଦ୍ବାରା ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହୋଇନାହିଁ ବୋଲି ମଲିକ ପ୍ରଶ୍ନ କରିଛନ୍ତି । ଏନ୍‌ସିପି ମୁଖପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେ‌ବେନ୍ଦ୍ର ଫଡ଼ନାବିସଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ଅଣ୍ଡରୱାର୍ଲ୍ଡରେ ତାଙ୍କର କାହା ସହ ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ, ମଲିକ ଗତକାଲି ଫଡ଼ନାବିସଙ୍କ ପତ୍ନୀ ଅମୃତାଙ୍କର ଜଣେ ନିଶା ବେପାରୀଙ୍କ ସହ ଫଟୋ ପୋଷ୍ଟ୍‌ କରିବାପରେ ଫଡ଼ନାବିସ କହିଥିଲେ ଦୀପାବଳି ପରେ ସେ ମଲିକଙ୍କ ଅଣ୍ଡରୱାର୍ଲ୍ଡ ସମ୍ପୃକ୍ତିକୁ ପଦାରେ ପକାଇ ଦେବେ। ମଲିକ ଏହି ମାମଲାରେ ଫଡ଼ନାବିସଙ୍କୁ ଚାଲେଂଜ କରିଛନ୍ତି। ମଲିକ କହିଛନ୍ତି, ଯଦି ତାଙ୍କର ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ଥିଲା ତେବେ ଫଡ଼ନାବିସ ୫ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ସମୟ‌ରେ ତାଙ୍କ ବିରୋଧରେ ତଦନ୍ତ କାହିଁକି ଆରମ୍ଭ କଲେନି।

ସମ୍ବନ୍ଧିତ ଖବର