ପାକିସ୍ତାନ ସହ ଆଲୋଚନା ପାଇଁ ପ୍ରସ୍ତୁତ

ଶ୍ରୀନଗର : ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଯଦି ପାକିସ୍ତାନ ଆଲୋଚନା ପାଇଁ ଆସିବ ତେବେ ଆମେ ଏଥିପାଇଁ ମଧ୍ୟ ପ୍ରସ୍ତୁତ ରହିଛୁ ବୋଲି ରାଜନାଥ କହିଛନ୍ତି। ପାକିସ୍ତାନ ସହ କଥାବାର୍ତ୍ତାରେ କୌଣସି ଆପତ୍ତି ନାହିଁ। ପାକିସ୍ତାନ ଆମର ପଡ଼ୋଶୀ, କିନ୍ତୁ ପାକିସ୍ତାନ ପ୍ରଥମେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଦରକାର ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନାଥ କହିଛନ୍ତି। କଶ୍ମୀରରେ ମୁସଲିମମାନେ ଶାନ୍ତିପୂର୍ଣ୍ଣ ରମଜାନ୍‌ କରନ୍ତୁ ବୋଲି ପାକିସ୍ତାନ ଚାହୁନାହିଁ ଏବଂ ସେଥିପାଇଁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଛି। ଶାନ୍ତି ପ୍ରକ୍ରିୟାରେ ହୁରିୟତ ସାମିଲ ହେବାକୁ ଚାହିଲେ ଆମେ ହୁରିୟତ ସହ ମଧ୍ୟ ଆଲୋଚନା କରିବୁ ବୋଲି ରାଜନାଥ କହିଛନ୍ତି।

ଉଲ୍ଳେଖଯୋଗ୍ୟ ଗତ ମେ’ ୧୬ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ ପବିତ୍ର ରମଜାନ୍‌ ମାସ ପାଇଁ ଏକତରଫା ଅସ୍ତ୍ରବିରତି ଘୋଷଣା କରିଥିଲେ। ତେବେ ପାକ୍‌ ସେନା ଏହାକୁ ଅବମାନନା କରି ବାରମ୍ବାର ଅସ୍ତ୍ରବିରତି ଉଲ୍ଳଂଘନ କରି ଅଶାନ୍ତି ସୃଷ୍ଟି କରୁଛି। ରାଜନାଥ ଆଜି ପୁଣିଥରେ କହିଛନ୍ତି ଯେ ଆମ କଶ୍ମୀର ନୀତିରେ ଆଦୌ ଦ୍ୱନ୍ଦ୍ୱ ନାହିଁ। ପାକିସ୍ତାନର ହିଂସାକୁ ମୁକାବିଲା କରି ଭାରତ କଶ୍ମୀରୀ ଅଧିବାସୀଙ୍କ ମନରେ ଆସ୍ଥା ସୃଷ୍ଟି କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ରମଜାନ୍‌ ସମୟରେ କଶ୍ମୀରରେ ସେନା କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ପଦକ୍ଷେପ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର