ରଙ୍ଗ ବଦଳାଇଲା ପାକିସ୍ତାନ; କୁଲ୍‌ଭୂଷଣଙ୍କ ବିରୋଧରେ ଆମ ନିକଟରେ ‘ବଳିଷ୍ଠ ପ୍ରମାଣ’ ଅଛି କହିଲେ ବୈଦେଶିକ ମନ୍ତ୍ରୀ କୁରେସୀ

ଇସ୍‌ଲାମାବାଦ: କୁଲ୍‌ଭୂଷଣ ଯାଦବ ମାମଲାରେ ପୁଣି ରଙ୍ଗ ବଦଳାଇଛି ପାକିସ୍ତାନ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସୀ କହିଛନ୍ତି, ‘କୁଲ୍‌ଭୂଷଣ ଯାଦବଙ୍କ ବିରୋଧରେ ଆମ ନିକଟରେ ବଳିଷ୍ଠ ପ୍ରମାଣ ରହିଛି। ଏହା ଆଧାରରେ ଆମେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ବିଜୟ ହାସଲ କରିବୁ ବୋଲି ଭାବୁଛୁ’!

ପାକିସ୍ତାନର ଦକ୍ଷିଣ ପଞ୍ଜାବସ୍ଥିତ ନିଜ ଘରୋଇ ସହର ମୁଲତାନ ଠାରେ ଗୁରୁବାର ଦିନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ବୈଦେଶିକ ମନ୍ତ୍ରୀ କୁରେସୀ କହିଛନ୍ତି ଯେ ପାକିସ୍ତାନ ନିକଟରେ କୁଲ୍‌ଭୂଷଣ ଯାଦବଙ୍କ ବିରୋଧରେ ‘ବଳିଷ୍ଠ ପ୍ରମାଣ’ ରହିଛି। ଆଉ ଏଇ ପ୍ରମାଣକୁ ଆଧାର କରି ଆମେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ବିଜୟ ହାସଲ କରିବୁ ବୋଲି ଭାବୁଛୁ!

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସଂପ୍ରତି ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲ୍‌ଭୂଷଣ ଯାଦବ (୪୭)କୁ ଭାରତୀୟ ଗୁଇନ୍ଦା ଆଖ୍ୟା ଦେଇ ପାକିସ୍ତାନର ସାମରିକ ଅଦାଲତ ତାଙ୍କୁ ୨୦୧୭ରେ ମୁତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା। ତେବେ, ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ର ଦ୍ୱାରସ୍ଥ ହେବା ପରେ କୁଲଭୂଷଣଙ୍କ ମୁତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ସହ ଏହି ମାମଲାର ଚୂଡ଼ାନ୍ତ ଫଇସଲା ନହେବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବି କୁଲ୍‌ଭୂଷଣଙ୍କୁ ଫାଶି ଦିଆ ଯାଇପାରିବ ନାହିଁ ବୋଲି ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା ଆଇସିଜେ।

ସେତେବେଳେ ଆଇସିଜେରେ କୁଲ୍‌ଭୂଷଣଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ଉପସ୍ଥାପିତ କରିବାରେ ବିଫଳ ହୋଇଥିବା ପାକିସ୍ତାନ ଏମାମଲାରେ ଏଯାବତ୍‌ ନିରବ ରହିଥିଲା। ହେଲେ ଏବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେସୀ ରଙ୍ଗ ବଦଳାଇ କହିଛନ୍ତି ଯେ ଆମ ନିକଟରେ କୁଲଭୂଷଣ ବିରୋଧରେ ‘ବଳିଷ୍ଠ ପ୍ରମାଣ’ ରହିଛି। ଆମର ସାଧ୍ୟମତେ ଆମେ ଏହାକୁ ପ୍ରଭାବୀ ଢ଼ଙ୍ଗରେ ଆଇସିଜେରେ ଉପସ୍ଥାପିତ କରି ଏହି ମାମଲାରେ ବିଜୟ ପାଇବୁ ବୋଲି ଭାବୁଛୁ।

ସମ୍ବନ୍ଧିତ ଖବର