ବ୍ୟାୟାମ ବେଳେ ମାସ୍କ ପିନ୍ଧିବା ବିପଜ୍ଜନକ

ନୂଆଦିଲ୍ଲୀ: ମହାମାରୀ କରୋନାଭୂତାଣୁର ଆଖପାଖ ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ପାଇଁ ନିରନ୍ତର ମାସ୍କ ପିନ୍ଧିବା ପାଇଁ ଚିକିତ୍ସା ବିଜ୍ଞାନୀମାନେ ଉପଦେଶ ଦେଇ ଆସିଛନ୍ତି। ତେବେ ବିଶେଷ କରି ବ୍ୟାୟାମ କି କସରତ ବେଳେ ମାସ୍କ ନ ପିନ୍ଧିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ କରିଛି। କାରଣ ବ୍ୟାୟାମ ସମୟରେ ମାସ୍କ ପିନ୍ଧିବା ଦ୍ବାରା ଜଣଙ୍କର ସ୍ବାସକ୍ରିୟା ସୁଗମ ହୋଇନଥାଏ ବୋଲି କୁହାଯାଇଛି। ଅପରପକ୍ଷେ, ବ୍ୟାୟାମ ବେଳେ ଝାଳ ବାହାରିବାଟା ସ୍ବାଭାବିକ, ତେଣୁ ମାସ୍କ ସେଥିରେ ଶୀଘ୍ର ଓଦା ହୋଇଯିବାର ସମ୍ଭାବନା ମଧ୍ୟ ରହିଛି। ସେଥି ଯୋଗୁଁ ନିଶ୍ବାସ ନେବା ଆଣିବା କରିବା କଷ୍ଟକର ହେବା ସହ ଅଣୁଜୀବମାନଙ୍କର ବୃଦ୍ଧିରେ ମଧ୍ୟ ତାହା ସହାୟକ ହେବ। ତେବେ କୋଭିଡ୍ ସଂକ୍ରମଣ ସମୟରେ ବିଶେଷ କରି ବାହାରେ ବ୍ୟାୟାମ କଲା ବେଳେ ମାସ୍କ ପିନ୍ଧିବା ସମ୍ପର୍କରେ ବିଭିନ୍ନ ଚିକିତ୍ସା ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ାଯାଇଥିଲା।

ସେମାନଙ୍କ ପରାମର୍ସ ଏହିପରି-ଆସୋସିଏସନ୍‌ ଅଫ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆର ସଭାପତି ଡା. ପି. ରଘୁରାମଙ୍କ ମତରେ ବ୍ୟାୟାମ ବେଳେ ମାସ୍କ ପିନ୍ଧିବା ଦ୍ବାରା ଦ୍ରୁତ ଶ୍ବାସକ୍ରିୟା ବା ହାଇପରଭେଣ୍ଟିଲେସନ୍‌ ଘଟି ମସ୍ତିଷ୍କ ଠିକ୍‌ରେ କାମ କରିନପାରେ। ମାସ୍କ ପିନ୍ଧିବା ଦ୍ବାରା ବାୟୁ ପ୍ରବାହରେ ପ୍ରତିବନ୍ଧକ ସୃଷ୍ଟି ହୋଇ କମ୍‌ ପରିମାଣର ଅମ୍ଳଜାନ ଶରୀରକୁ ଯାଇଥାଏ। ଅପରପକ୍ଷେ, ବ୍ୟାୟାମ ବେଳେ ନିଶ୍ବାସରେ ନିର୍ଗତ ଅଧିକ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ମାସ୍କ ତଳେ ଜମି ରହିବା ସହ ପୁଣି ଥରେ ତାହା ପ୍ରଶ୍ବାସରେ ଶରୀର ଭିତରକୁ ଯାଇଥାଏ। ଫଳରେ ଅଧିକ ହାଇପରଭେଣ୍ଟିଲେସନ୍‌ ଘଟି ମସ୍ତିଷ୍କର କ୍ରିୟାଶୀଳତା କମାଇ ଦେଇଥାଏ ଯାହାକି ଭ୍ରମିତ ହେବା ବା ଚେତା ହରାଇବା ପରି ଲକ୍ଷଣ ଆଣିଥାଏ। ସେହିପରି ବ୍ୟାୟାମ ସମୟରେ ହୃଦ୍‌ସ୍ପନ୍ଦନ ହାର ମଧ୍ୟ ବଢ଼ିଥାଏ। ତେବେ ସେତିକି ବେଳେ ମାସ୍କ ପିନ୍ଧିଥିଲେ ଏହି ସ୍ପନ୍ଦନ ହାର ଆହୁରି ଅଧିକ ବଢ଼ିଯାଇଥାଏ ଯାହାକି ହୃଦ୍‌କ୍ରିୟାରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତେଣୁ ମାସ୍କ ପିନ୍ଧିବାର ଉପକାରିତା ଏବଂ ବ୍ୟାୟାମ ବେଳେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟରେ ତାଳମେଳ ରଖି ଆମକୁ ମାସ୍କ ବ୍ୟବହାର କରିବାକୁ ହେବ ବୋଲି ସେ ପରାମର୍ଶ କରିଛନ୍ତି। କୋଭିଡ୍ ସଂକ୍ରମଣ ବେଳେ ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ ବେଳେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ ହୋଇଥିବା ବେଳେ କୌଣସି ସର୍ବସାଧାରଣ ସ୍ଥାନରେ ବ୍ୟାୟାମ ନକରିବା ପାଇଁ ଆପୋଲୋ ହସ୍ପିଟାଲ୍‌ର ଡା. ଭାରତ ଅଗ୍ରଵାଲ୍ ବାରଣ କରିଛନ୍ତି।

ସମ୍ବନ୍ଧିତ ଖବର