ଜୀବନକୁ କି ଅବା ଭରସା, ଇଚ୍ଛାପତ୍ର ପାଇଁ ଓକିଲଙ୍କ ପାଖେ ଭିଡ଼

Crowds of lawyers for the will

ନୂଆଦିଲ୍ଲୀ: କରୋନାଭୂତାଣୁ ମହାମାରୀ ବେଳାରେ ଯୁବ ପେସାଦାରମାନେ ଜୀବନରୁ ଭରସା ତୁଟାଇ ତୁରନ୍ତ ଇଚ୍ଛାପତ୍ରଟିଏ କରିବାକୁ ବ୍ୟଗ୍ର ହୋଇପଡିଲେଣି। ଓକିଲମାନଙ୍କ ପ୍ରତିକ୍ରିୟାରୁ ଏହି ସୂଚନା ମିଳିଛି। ଏପରିକି ମାତ୍ର ୨୯ରୁ ୪୫ ବର୍ଷର ଯୁବବର୍ଗଙ୍କ ମଧ୍ୟରେ ଏହି ଉଦ୍‌ବେଳନ ଏବେ ବଢ଼ିଯାଇଛି। ଗତ ଶତାବ୍ଦୀର ୫୦ ଦଶକର ଶେଷ ଭାଗରେ ଏହି ଭଳି ଉଦ୍‌ବେଳନ ଦେଖାଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ୫୫ ବର୍ଷରୁ କଆ୍ ବୟସର କେହି ବ୍ୟକ୍ତି ଯେ ଏହି ଇଚ୍ଛାପତ୍ର (ଉଇଲ୍‌) କରିବାକୁ ବ୍ୟାକୁଳ ହେବେ, ଏହା କେହି ଚିନ୍ତା କରିନଥିବେ। ଦିଲ୍ଲୀର ଜଣେ ଓକିଲ କହିଛନ୍ତି ଯେ ସମସ୍ତେ ପ୍ରାୟ ଆପୋସ ଇଚ୍ଛାପତ୍ର ପାଇଁ ଆସୁଛନ୍ତି।

ଅର୍ଥାତ୍‌ ସେମାନଙ୍କର ଯାହା ବି ଥିବ, ତାହା ପରବର୍ତ୍ତୀ ପିଢ଼ିଙ୍କ ମାଲିକାନାକୁ ଯିବ। ବିଶେଷତଃ ଆଜିକାଲି ପରିବାର ସାନ ହୋଇଯିବା ସହ ସ୍ୱାମୀ-ସ୍ତ୍ରୀ ଓ ଛୁଆଟିଏ ମଧ୍ୟରେ ସୀମିତ ରହୁଥିବାରୁ ଏଭଳି ବିଡମ୍ବନାମୟ ପରିସ୍ଥିତି ଉପୁଜିଛି। ୪୦ ବର୍ଷ ବୟସରେ ପହଞ୍ଚିବା ପରେ ସେମାନଙ୍କ ଭିତରେ ଏହି କଥାକୁ ନେଇ ଅସୁରକ୍ଷା ମୁଣ୍ଡ ଟେକୁଛି। ତେଣୁ ସେମାନେ ଇଚ୍ଛାପତ୍ରଟିଏ କରିନେବାକୁ ଚାହୁଛନ୍ତି। ଆଉ ଜଣେ ଓକିଲ କହିଛନ୍ତି ଯେ ଏହି ଲକ୍‌ଡାଉନ୍‌ ହିଁ ଲୋକଙ୍କୁ ଅଧିକ ନୈରାଶ୍ୟ ଭିତରକୁ ଠେଲି ଦେଇଛି। ଆଉ ଯେଉଁମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଉଛି ଏବଂ ହସପିଟାଲରେ ଭର୍ତ୍ତି ହେଉଛନ୍ତି ସେମାନେ ଇଚ୍ଛାପତ୍ର କରିନେବାକୁ ବ୍ୟାକୁଳ ହେଉଛନ୍ତି। ସେମାନେ ପୂର୍ବରୁ ଯେତେ ସୁସ୍ଥ ଓ ହଟ୍ଟାକଟ୍ଟା ଥାଆାନ୍ତୁ ପଛକେ, ନିଜ ଜୀବନ ଉପରେ ଭରସା ରଖି ପାରୁ ନାହାନ୍ତି। ଇଚ୍ଛାପତ୍ର କରିବା ଏକ ଭଲ କଥା, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଯେଉଁମାନେ ଏବେ କିଛି ବି ଇଚ୍ଛାପତ୍ରରେ ଦସ୍ତଖତ କରୁଛନ୍ତି, ସେହି ପତ୍ରରେ କ’ଣ ଲେଖା ଅଛି, ତାହା ସେମାନେ ଜାଣି ବି ନଥିବେ। ଏଣୁ ସବୁକ୍ଷେତ୍ରରେ ସଚେତନତା ରହିଥିବା ଦରକାର ବୋଲି ଓକିଲମାନେ କହିଛନ୍ତି।

ସମ୍ବନ୍ଧିତ ଖବର