ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟ କିଏ ଜାଣନ୍ତି କି ?

ନୂଆଦିଲ୍ଲୀ:ବାଙ୍ଗାଲୋର ଦକ୍ଷିଣ ସଂସଦୀୟ ଆସନ (ବାଙ୍ଗାଲୋର ଦକ୍ଷିଣ) ର ଭାରତୀୟ ଜନତା ପାର୍ଟି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ତେବେ ତେଜସ୍ୱୀ ସୂର୍ଯ୍ୟ କିଏ ଓ ତାଙ୍କୁ କାହିଁକି ଏହି ଦାୟିତ୍ୱ ଦିଆଗଲା ସେ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ୨୦୧୯ ବର୍ଷର କଥା | ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ରାଜନୈତିକ ଦିଗକୁ ଧ୍ୟାନରେ ରଖି ପ୍ରାର୍ଥୀ ବାଛିଥିଲା। ବାଙ୍ଗାଲୋର ଦକ୍ଷିଣର ସଂସଦୀୟ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଯେହେତୁ ଏହି ଆସନକୁ ବିଜେପିର ଭେଟେରାନ ନେତା ଏଚଏନ ଅନନ୍ତ କୁମାର ୬ ଥର ଜିତିଥିଲେ ଓ ତାଙ୍କର ଦେହାନ୍ତ ପରେ ଏହି ଆସନରେ ବିଜେପିକୁ ପୁଣି ବଜାୟ ରଖିବା ପାଇଁ ଏକ ବିଶ୍ୱସ୍ତ ଚେହେରା ବାଛିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା | ଏହା ପରେ ସମସ୍ତ ବିଶ୍ଳେଷଣ ପରେ ବିଜେପି ତେଜସ୍ୱୀ ସୂର୍ଯ୍ୟଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ସେ ତାଙ୍କର ଖୁସି ବ୍ୟକ୍ତ କରି ଟ୍ଵିଟର୍‌ରେ ଲେଖିଥିଲେ ଯେ , ‘ହେ ଭଗବାନ! ମୁଁ ବିଶ୍ୱାସ କରିପାରୁନି। ବିରାଟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ବିରାଟ ରାଜନୈତିକ ଦଳର ମୁଖିଆ ଜଣେ ୨୮ ବର୍ଷର ଯୁବକ ଉପରେ ଭରସା କରିପାରିଛନ୍ତି। ଏହା କେବଳ ମୋ ବିଜେପିରେ ଘଟିପାରେ।’ ଯାହାକି ଖୁବ ଭାଇରଲ ହୋଇଥିଲା |

ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ବି.କେ ହରି ପ୍ରସାଦଙ୍କୁ ପାଖାପାଖି ୩ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ ମଧ୍ୟ କରିଥିଲେ | ପେସାରେ ଓକିଲ ଥିବା ତେଜସ୍ୱୀ ସୂର୍ଯ୍ୟ ବେଙ୍ଗାଲୁରୁର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଗାଲ୍ ଷ୍ଟଡିଜରେ ଅଧ୍ୟୟନ କରିଛନ୍ତି। ତେଜସ୍ୱୀ ମଧ୍ୟ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାରେ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ଏହାପୂର୍ବରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହିତ ଜଡିତ ଥିଲେ।

ସମ୍ବନ୍ଧିତ ଖବର