କାହିଁକି ଦ୍ରୌପଦୀ ମୁର୍ମୁଙ୍କୁ ବାଛିଲା ବିଜେପି?

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବା ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମଙ୍ଗଳବାର ଦ୍ରୌପଦୀ ମୁର୍ମୁଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ୧୯୫୮ ମସିହାରେ ଜନ୍ମିତ ମୁର୍ମୁ ଜଣେ ଆଦିବାସୀ ସମ୍ପ୍ରଦାୟର ନେତ୍ରୀ। ଯଦି ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଓଡ଼ିଶା ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ପ୍ରଥମ ମହିଳା ରାଷ୍ଟ୍ରପତି। ଝାଡ଼ଖଣ୍ଡର ରାଜ୍ୟପାଳ ହେବାରେ ମଧ୍ୟ ସେ ପ୍ରଥମ ଆଦିବାସୀ ମହିଳା।
ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଦ୍ବାରା ବିରୋଧୀ ଶିବିରକୁ ବଡ଼ ଝଟକା ଲାଗିବ। କାରଣ ସେ ଆଦିବାସୀ ହେବା ସହ ଉପାର ମେଣ୍ଟଭୁକ୍ତ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦ୍ବାରା ଶାସିତ ଝାଡ଼ଖଣ୍ଡର ରାଜ୍ୟପାଳ ଥିବାରୁ ତାଙ୍କୁ ସମର୍ଥନ ନ କରିବା ବିରୋଧୀଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମିଳିତ ବିରୋଧୀ ଦଳର ଅଂଶ ହୋଇଥିବାରୁ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା କଥା। କିନ୍ତୁ ମୁର୍ମୁ ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାରୁ ରାଜ୍ୟ ସରକାରଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି। ଏହା ଜେଏମ୍‌ଏମ୍‌କୁ ସିହ୍ନାଙ୍କୁ ଭୋଟ ଦେବା ନେଇ ପୁନର୍ବିଚାର କରିବାକୁ ବାଧ୍ୟ କରିବ।

୨୦୧୭ରେ ମୁର୍ମୁ ତତ୍କାଳୀନ ବିଜେପି ସରକାରର ଲ୍ୟାଣ୍ଡ ଟେନାନ୍ସି ଆକ୍ଟର ସଂଶୋଧନ ଯୋଜନାକୁ ବିଫଳ କରିଦେଇଥିଲେ। ଛୋଟନାଗପୁର ଟେନାନ୍ସି (ସିଏନ୍‌ଟି) ଆକ୍ଟ ଓ ସାନ୍ତାଳ ପ୍ରଗଣା ଟେନାନ୍ସି (ଏସ୍‌ପିଟି) ଆକ୍ଟର ସଂଶୋଧନ ବିଲ୍‌କୁ ସେ ଫେରାଇ ଦେଇଥିଲେ। ଝାଡ଼ଖଣ୍ଡର ଆଦିବାସୀମାନେ ବିଜେପିର ଏହି ବିଲ୍‌କୁ ଘୋର ବିରୋଧ କରୁଥିଲେ। ଏହାଦ୍ବାରା ଝାଡ଼ଖଣ୍ଡରେ ମୁର୍ମୁଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା। ମୁର୍ମୁଙ୍କୁ ପ୍ରାର୍ଥୀ କରିବା ଦ୍ବାରା ବିଜେପିକୁ କେତେକ ଦୃଷ୍ଟିରୁ ଫାଇଦା ମିଳିବ। ବିଜେପି ପାଇଁ ଏହା ଦୀର୍ଘକାଳୀନ ରାଜନୈତିକ ଯୋଜନା ହୋଇପାରେ। ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନରେ ମଧ୍ୟ ଏହା ସହାୟକ ହୋଇପାରେ। ୨୦୧୧ ଜନଗଣନା ଅନୁଯାୟୀ ଗୁଜରାଟରେ ୧୪ ପ୍ରତିଶତରୁ ଅଧିକ ଆଦିବାସୀ ଅଛନ୍ତି। ଉତ୍ତରପୂର୍ବରେ ମଧ୍ୟ ଏହା ବିଜେପି ପାଇଁ ବେଶ୍ ଅନୁକୂଳ ପ୍ରଭାବ ପକାଇବ କାରଣ ସେଠାରେ ଆଦିବାସୀ ଜନସଂଖ୍ୟା ଅଧିକ। ଭାରତର ମୋଟ ଆଦିବାସୀ ଜନସଂଖ୍ୟା ହେଉଛି ୮.୬ ପ୍ରତିଶତ। ଭାରତର ଗ୍ରାମାଞ୍ଚଳରେ ଆଦିବାସୀଙ୍କ ସଂଖ୍ୟା ୧୧.୩ ପ୍ରତିଶତ ହୋଇଥିବା ବେଳେ ସହରାଞ୍ଚଳରେ ୨.୮ ପ୍ରତିଶତ। ଭାରତରେ ଆଦିବାସୀ ଜନସଂଖ୍ୟାର ଏକ ହିସାବ ଏଠାରେ ଦିଆଗଲା।

ମିଜୋରାମରେ ୯୪.୪%, ନାଗାଲାଣ୍ଡରେ ୮୬.୫%, ମେଘାଳୟରେ ୮୬.୧%, ଅରୁଣାଚଳରେ ୬୮.୮%, ମଣିପୁରରେ ୩୫.୧%, ସିକିମରେ ୩୩.୮%, ତ୍ରିପୁରାରେ ୩୧.୮%, ଛତିଶଗଡ଼ରେ ୩୦.୬%, ଝାଡ଼ଖଣ୍ଡରେ ୨୬.୨%, ଓଡ଼ିଶାରେ ୨୨.୮%, ମଧ୍ୟପ୍ରଦେଶରେ ୨୧.୧%, ଗୁଜରାଟରେ ୧୪.୮%, ରାଜସ୍ଥାନରେ ୧୩.୫% ଏବଂ ଜମ୍ମୁ-କାଶ୍ମୀରରେ ୧୧.୯% ଆଦିବାସୀ ଅଛନ୍ତି। ଛତିଶଗଡ଼ ପରି ରାଜ୍ୟ ଯେଉଁଠି ବିଜେପି ଗତ ବିଧାନସଭା ନିର୍ବାଚନରେ ହାରିଛି, ସେଠାରେ ଏହି ନିଷ୍ପତ୍ତି କିଛି ଅନୁକୂଳ ପ୍ରଭାବ ପକାଇପାରେ। ଜଣେ ଆଦିବାସୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବା ଭୂପେଶ ବାଘେଲଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ପାଇଁ ମହଙ୍ଗା ପଡ଼ିପାରେ କାରଣ ଛତିଶଗଡ଼ରେ ୩୦ ପ୍ରତିଶତ ଆଦିବାସୀ ଅଛନ୍ତି।

ସମ୍ବନ୍ଧିତ ଖବର