ମହାରାଷ୍ଟ୍ରକୁ ଉଦ୍ଧରିବେ କି ଅନଭିଜ୍ଞ ଉଦ୍ଧବ!

ମୁମ୍ବାଇ: ଏବେ ଦେଶରେ କରୋନା ସଂକ୍ରମଣର ପ୍ରମୁଖ ହଟ୍‌ସ୍ପଟ ପାଲଟିଛି ମହାରାଷ୍ଟ୍ର। ରାଜ୍ୟକୁ କରୋନାଭୂତାଣୁ ମହାମାରୀରୁ ଉଦ୍ଧାର କରିବାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିଫଳତା ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଠାକ୍‌ରେ ପରିବାର ୨୦୧୯ ପୂର୍ବରୁ କେବେ ହେଲେ ନିର୍ବାଚନ ଲଢ଼ିନାହାନ୍ତି କି କୌଣସି ନିର୍ବାଚିତ ପଦବିରେ ସେବା କରିନାହାନ୍ତି। ଶିବସେନା ମୁଖିଆ ବାଲ୍‌ ଠାକ୍‌ରେ କେବଳ ”ରିମୋଟ୍‌ କଣ୍ଟ୍ରୋଲ୍‌” ସାଜିଥିଲେ, ଆଉ ମୁଖ୍ୟମନ୍ତ୍ରୀ ହୋଇ ସୁଦ୍ଧା ଉଦ୍ଧବ ଏଯାଏ ବିଧାୟକ ବି ହୋଇନାହାନ୍ତି। ଦଳୀୟ କର୍ମୀମାନଙ୍କ ମଧ୍ୟରେ ଏହା ବିସ୍ମୟ ସୃଷ୍ଟି କରୁଛି ଯେ ନିର୍ବାଚିତ ପ୍ରତିନିଧି, ମନ୍ତ୍ରୀମାନଙ୍କ ଊର୍ଦ୍ଧ୍ବରେ ରହୁଛନ୍ତି, ଏପରିକି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏହି ଅଣନିର୍ବାଚିତ ନେତା। ଠାକ୍‌ରେ ପରିବାରର କୌଣସି ପ୍ରାଶାସନିକ ଅଭିଜ୍ଞତା ନଥିବାରୁ ୧୯୯୯ ରୁ ୨୦୧୪ ପର୍ଯ୍ୟନ୍ତ ଶରଦ ପାୱାର, ମହାରାଷ୍ଟ୍ରକୁ ଶାସନ କରିବାର ଏକ ପ୍ରକାର ସୁଯୋଗ ଭୋଗ କରିଥିଲେ। ଏବେ ଉଦ୍ଧବ ଠାକ୍‌ରେ ଯେଭଳି ମୁଖ୍ୟମନ୍ତ୍ରୀ ହେଲେ, ତାହାକୁ ସେଦିନ ଶିବାଜୀ ପାର୍କର ଦଶହରା ଗହଳି ସଙ୍ଗେ ତୁଳନା କରାଯାଉଛି। ରାଜନୀତିରେ ନବାଗତ ତାଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେ ଜଣେ ବିଧାୟକ ରୂପେ ୨୦୧୯ରେ ନିର୍ବାଚନରେ ଅବତୀର୍ଣ ହେଲେ। ଆଉ ଏହା ହିଁ ଖବର ପାଲଟିଲା ଏବଂ ସମୟଚକ୍ରରେ ସେ କ୍ୟାବିନେଟ୍‌ ମନ୍ତ୍ରୀପଦ ବି ପାଇଲେ।

ଏହି ବିଶ୍ୱମହାମାରୀ ପରିପ୍ରେକ୍ଷୀରେ ସାମ୍ରାଜ୍ୟବାଦୀ ଠାକ୍‌ରେ ପରିବାର ଏବେ ଲୋକହସାର ପାତ୍ର ହୋଇଛି। ଉଦ୍ଧବଙ୍କର ସରକାରୀ ସ୍ତରରେ କୌଣସି ସଂକଟ ପରିଚାଳନାର ଅନୁଭୂତି ବା ଅଭିଜ୍ଞତା ନଥିବାରୁ ସେ ଏବେ ହରଡ଼ଘଣାରେ। ସେ ଏବେ ବି ରାଜ୍ୟ ଚଳାଇବାର ଖଡ଼ିପାଠ ଶିଖୁଛନ୍ତି। କୋଭିଡ୍‌-୧୯ ବିରୋଧୀ ଲଢେଇରେ ସେ ଅଶେଷ କ୍ଷତି କଲେଣି ରାଜ୍ୟର ଆର୍ଥନୀତିକ ସ୍ଥିତିରେ। ଲକ୍‌ଡାଉନ୍‌ ଥିବା ବେଳେ ବି ନିର୍ଦିଷ୍ଟ ଭାବେ ମୁମ୍ବାଇ ମହାନଗରୀରେ ଏବଂ ରାଜ୍ୟ ଭାବରେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ମାମଲା ରହିଛି। ଆଜି ସୁଦ୍ଧା ୭୬୨୮ ମାମଲା ଥିବା ବେଳେ ୩୨୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସୁଶାସନ ଦେବାରେ ଉଦ୍ଧବ ବିଫଳ ହୋଇଛନ୍ତି। କାରଣ ଦୁଇ ଜଣ ହିନ୍ଦୁ ସାଧୁଙ୍କୁ ଓ ଗାଡ଼ି ଡ୍ରାଇଭରଙ୍କୁ ରାସ୍ତାରେ ଅଟକାଇ ପିଟିପିଟି ମାରିଦେବା ଘଟଣାରେ ଉଦ୍ଧବ ସରକାର କୌଣସି ପଦକ୍ଷେପ ନେଇ ନାହିଁ। ସେହିଭଳି ବାନ୍ଦ୍ରା ରେଳଷ୍ଟେସନରେ ଦାଦନଶ୍ରମିକମାନେ ମେଳି ହୋଇ ଖାଇବା ରହିବା ପାଇଁ ବିକଳ ହେବା ସହ ନିଜ ଗାଆଁକୁ ଫେରିବାକୁ ହୋହଲ୍ଲା କରିବା ମଧ୍ୟ ଉଦ୍ଧବ ସରକାରର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ଏପରିକି ଲକ୍ଷଣବିହୀନ କୋଭିଡ୍‌ ସନ୍ଦିଗ୍ଧଙ୍କର ନମୁନା ପରୀକ୍ଷା ନକରିବା ପାଇଁ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌କୁ ଫୁ କରିଦେବାର ଧୃଷ୍ଟତା ମଧ୍ୟ ଉଦ୍ଧବ ନିଜେ କରିଛନ୍ତି। ଏପରିକି ମୁମ୍ବାଇରେ ଶିବସେନା ନିୟନ୍ତ୍ରଣରେ ବ୍ରିହନମୁମ୍ବାଇ ପୌର ନିଗମ ଥାଇ ସୁଦ୍ଧା ଲକ୍ଷଣବିହୀନ ଅଧିକ ବିପଦଯୁକ୍ତ ଲୋକଙ୍କର ନିଦାନ କରାଗଲା ନାହିଁ। ଏହି ଭୁଲ୍‌ ଯେଗୁ ପରବର୍ତ୍ତୀ ସମୟରେ କୋଭିଡ୍‌-୧୯ ମାମଲା ବହୁଗୁଣିତ ହୋଇଗଲା। ଏହା ତାଙ୍କର ପ୍ରାଶାସନିକ ଅପାରଗତାକୁ ପ୍ରମାଣିତ କରିଛି। ତେଣେ ପାଲଘର ସାଧୁହତ୍ୟା ମାମଲାରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ଯେ ସେ ଘଟଣାରେ କୌଣସି ମୁସ୍‌ଲିମ୍‌ଙ୍କ ସଂପୃକ୍ତି ନାହିଁ। ବାସ୍‌ ଏତିକିରେ ତାଙ୍କ ସରକାର ଚୁପ୍‌ ବସିଯାଇଛି। କିନ୍ତୁ ପୁଲିସ୍‌ ଉପସ୍ଥିତିରେ ତିନି ଜଣ ନିରସ୍ତ୍ର ମଣିଷଙ୍କୁ କାହିଁକି ହତ୍ୟା କରାଗଲା, ତାହାର କିଛି ଉତ୍ତର ମିଳୁନାହିଁ।

ସମ୍ବନ୍ଧିତ ଖବର