ଭାରତକୁ ଫେରିବ କି କୋହିନୂର ହୀରା? ବ୍ରିଟେନ ରାଣୀଙ୍କ ରାଜମୁକୁଟରେ ରହିଛି ହୀରା

ବ୍ରିଟେନ୍‌ ଗଲା କେମିତି?

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବିବାଦୀୟ ଓ ସବୁଠୁ ମୂଲ୍ୟବାନ କୋହିନୂର ହୀରା ଏବେ ହସ୍ତାନ୍ତରିତ ହେବାକୁ ଯାଉଛି। ହୀରାଟି ବର୍ତ୍ତମାନ ରହିଛି ରାଣୀଙ୍କ ରାଜମୁକୁଟରେ, ଯାହାକୁ ପ୍ରଥମେ ୧୯୩୭ ମସିହାରେ କିଙ୍ଗ ଜର୍ଜ ଷଷ୍ଠ ତାଙ୍କ ରାଜ୍ୟାଭିଷେକ ବେଳେ ପିନ୍ଧିଥିଲେ। ଉତ୍ତରାଧିକାର ସୂତ୍ରରେ ତାହା ଆସିଥିଲା ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପାଖକୁ। ତାଙ୍କ ମୃତ୍ୟୁ ପରେ ଏହି ହୀରା ଏବେ ରାଣୀଙ୍କ ପୁତ୍ରବଧୂ ତଥା ପ୍ରିନ୍ସ ଚାର୍ଲଙ୍କ ତୃତୀୟ ପତ୍ନୀ କାମିଲା ପାର୍କର ବୋଲ୍‌ସଙ୍କ ପାଖକୁ ଆସିବାର ଅଛି। କାମିଲା ହେଉଛି ବ୍ରିଟେନର ରାଣୀଙ୍କ ନାମ ବର୍ଗମାଳାର ଅନ୍ୟତମ ନାମ କାରଣ କିଙ୍ଗ୍ ଚାର୍ଲସ ୩ୟଙ୍କ ନାମ ଥିଲା କାମିଲା। ତେଣୁ ଏଣୁ ଏବେ ଭାରତରୁ ଚୋରି ହୋଇଥିବା ଦୁର୍ଲଭ ହୀରା ସହ ରାଜମୁକୁଟଟି ଯିବ କାମିଲାଙ୍କ ପାଖକୁ। ଏବେ କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷେକ ସମୟରେ ରାଣୀ କାମିଲା ହୀରା ଓ ପ୍ଲାଟିନମ୍ ଖଚିତ ସେହି ରାଜମୁକୁଟ ପିନ୍ଧିବେ। ଗତ ଫେବ୍ରୁଆରି ମାସରେ ରାଣୀ ଏଲିଜାବେଥ ଦ୍ବିତୀୟ ଘୋଷଣା କରିଥିଲେ ଯେ ଯେତେବେଳେ ତାଙ୍କ ପୁତ୍ର ଚାର୍ଲସ ରାଜା ହେବେ ସେତେବେଳେ ତାଙ୍କ ସ୍ତ୍ରୀ ଭାବେ କାମିଲା ହେବେ ଇଂଲଣ୍ଡର ରାଣୀ। ଆଜି ଚାର୍ଲସ ରାଜା ଘୋଷିତ ହୋଇଥିବା ବେଳେ କାମିଲା ହୋଇଛନ୍ତି ମହାରାଣୀ।

କୋହିନୂରର ଇତିହାସ
ଭାରତର ଗୋଲକୋଣ୍ଡା ଅଞ୍ଚଳ ହେଉଛି କୋହିନୂର ହୀରା ମିଳିଥିବା ପ୍ରଥମ ସ୍ଥାନ। କାକତୀୟ ରାଜବଂଶ ଅମଳରେ କୋଲ୍ଲୁର କୋଇଲା ଖଣି (ବିଶେଷତଃ ରାୟଲସୀମା ହୀରାଖଣି) ଖନନ ସମୟରେ ଏହା ମିଳିଥିଲା। ସେ ସମୟରେ ଏହା ଗୋଟିଏ ରାଜବଂଶରୁ ଆଉ ଗୋଟିଏ ରାଜବଂଶ ହାତକୁ ଯିବାରେ ଲାଗିଥିଲା। ପ୍ରଥମେ ଏହାକୁ ସ୍ୟମନ୍ତକ ମଣି ବୋଲି କୁହାଯାଉଥିଲା, ଯାହାର ଅର୍ଥ ହୀରାମାନଙ୍କ ରାଜା। ଯେତେବେଳେ ପାରସ୍ୟ ରାଜା ନାଦିର ଶାହ ୧୭୩୯ରେ ଭାରତ ଆକ୍ରମଣ କଲେ ସେ ଏହାକୁ ‘ଆଲୋକର ପାହାଡ଼’ ବୋଲି ନାମକରଣ କରିଥିଲେ। ସେତେବେଳେ ଏହାକୁ ସାମ୍ରାଜ୍ୟର ଶକ୍ତିର ପ୍ରତୀକ ଭାବେ ବିଚାର କରାଯାଉଥିଲା। କୁହାଯାଏ- ଏହି ହୀରା ଯାହା ପାଖରେ ରହିବ ସେ ବିଶ୍ବ ଉପରେ ପ୍ରଭୁତ୍ବ ବିସ୍ତାର କରିବ, କିନ୍ତୁ ଏହାର ସମସ୍ତ ଦୁର୍ଭାଗ୍ୟକୁ ବି ଜାଣିବ।

ବ୍ରିଟେନ୍‌ ଗଲା କେମିତି?

୧୮୪୯ ମସିହାରେ ଇଂରେଜ-ଶିଖ୍ ଯୁଦ୍ଧ ସମୟରେ ବ୍ରିଟିଶ ସେନା ରାଜା ରଣଜିତ ସିଂହଙ୍କ ପୁତ୍ର ଦୁଲଦୀପ ସିଂହଙ୍କୁ ପରାସ୍ତ କଲେ। ୧୧ ବର୍ଷୀୟ ଦୁଲଦୀପ ସିଂହ ସେତେବେଳେ ବାଧ୍ୟ ହୋଇ ଶିଖ୍ ସାମ୍ରାଜ୍ୟ ସହ କୋହିନୂର ହୀରାକୁ ଇଂରେଜଙ୍କୁ ଅର୍ପଣ କଲେ। ଡ. ଲଗିନ ଦୁଲଦୀପଙ୍କୁ ଖ୍ରୀଷ୍ଟିଆନ ହେବାକୁ ପ୍ରବର୍ତ୍ତାଇଲେ। ପିଟର ବାନ୍ସଙ୍କ ମତରେ ଲୋକେ ଯାହା ବିଶ୍ବାସ କରୁଛନ୍ତି, ସତ୍ୟ କିନ୍ତୁ ସେଇଆ ନୁହେଁ। ଦୁଲଦୀପ ୧୧ ବର୍ଷର ବାଳକ ଥିବା ବେଳେ ତତ୍କାଳୀନ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସି ଶିଖ୍ ରାଜକୋଷରୁ କୋହିନୂର ହୀରାକୁ ନେଇଯାଇଥିଲେ। ୧୮୫୪ରେ କୁଲଦୀପ ସିଂହ ଯେତେବେଳେ ରାଣୀ ଭିକ୍ଟୋରିଆଙ୍କୁ ଭେଟିଲେ ସେତେବେଳେ ସେ କୋହିନୂର ହୀରାକୁ ଦେଖିବାର ଇଚ୍ଛା ପ୍ରକାଶ କରିଥି‌ଲେ। ରାଣୀଙ୍କ ଆଦେଶରେ ହୀରାକୁ ବ୍ରିଟିଶ ରତ୍ନଭଣ୍ଡାରରୁ ଅଣାଗଲା। ଦୁଲଦୀପ ହୀରାକୁ ଜାବୁଡ଼ି ଧରିଲେ ଏବଂ ଝରକା ପାଖକୁ ନେଲେ। ଯେତେବେଳେ ହୀରାଟି ଆଲୋକରେ ଝଲସି ଉଠିଲା ସେ ହାତ ଟେକି କହିଲେ, ରାଣୀମା ଏହା ‘କୋହିନୂର ହୀରା’। ସେତେବେଳେ ଦୁଲଦୀପ ଏହି ହୀରା ରାଣୀଙ୍କୁ ଦାନ କରିଛନ୍ତି ବୋଲି କୁହାଗଲା। ତେବେ ଏହା ଦାନରେ ଦିଆଯାଇ ନ ଥିଲା ବରଂ ଚୋରି କରି ଭାରତରୁ ନିଆଯାଇଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର