ମହିଳାଙ୍କୁ ଅସଦାଚରଣ କଲେ ସହରରେ ଲାଗିବ ପୋଷ୍ଟର

ଲଖନଉ: ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ କଠୋର ହୋଇଛନ୍ତି ଯୋଗୀ ସରକାର | ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ, ଯଦି କେହି ମହିଳାଙ୍କୁ ଅସଦାଚରଣ କରୁଥିବାବେଳେ ଧରାପଡନ୍ତି , ତେବେ ସେମାନଙ୍କ ପୋଷ୍ଟର ସହରରେ ଲଗାଯିବ | ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ହିଂସା ସମୟରେ ଯୋଗୀ ସରକାର ମଧ୍ୟ ସମାନ ପଦକ୍ଷେପ ନେଇଥିଲେ।

ସରକାରଙ୍କ ସମ୍ପତ୍ତି ନଷ୍ଟ କରିଥିବା ଲୋକଙ୍କ ପୋଷ୍ଟର ସହର ସାରା ଲଗାଇଥିଲେ। ମିଶନ ଦୁରାଚାରି ଅଧୀନରେ ମହିଳା ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯିବ। ମହିଳା ପୁଲିସ ସହରର ଛକ ଉପରେ ନଜର ରଖିବେ। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧର ଅନେକ ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ନିଷ୍ପତ୍ତି ନେଇଛନ୍ତି।

ଅଭ୍ୟାସଗତ ଦୁଷ୍କର୍ମକାରୀ ଓ ଅଭ୍ୟାସଗତ ଭାବେ ମହିଳାଙ୍କୁ ହଇରାଣ କରୁଥିବା ବଦମାସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅପରାଧୀଙ୍କ ପୋଷ୍ଟର ସର୍ବସମ୍ମୁଖରେ ଲଗାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଯୁବତୀ ଓ ଶିଶୁ କନ୍ୟାଙ୍କ ସହ ଦୁଷ୍କର୍ମ କରୁଥିବା ଅଭିଯୁକ୍ତ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର