ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନ, ଚୀନ୍‌ର ସାହାଯ୍ୟ ପ୍ରସ୍ତାବ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହାର ପ୍ରଥମ ଅପ୍ରତ୍ୟକ୍ଷ (ଭର୍ଚୁଆଲ) ଅଧିବେଶନ ଗତକାଲିଠାରୁ ଆରମ୍ଭ କରିଛି। ବିଶ୍ୱମହାମାରୀ କୋଭିଢ‌-୧୯ ପରିପ୍ରେକ୍ଷୀରେ କରମର୍ଦନ, ସ୍ପର୍ଶ ଓ ପାଖାପାଖି ବସିବାକୁ ବାରଣ କରାଯାଉଥିବାରୁ ଏଭଳି ଅଧିବେଶନ ଆାରମ୍ଭ ହୋଇଛି ଏବଂ ଏଥିରେ କରୋନା ଟିକା (ଭାକ୍‌ସିନ୍‌)କୁ ‘ଜାଗତିକ ଲୋକହିତ’ ରୂପେ ଗ୍ରହଣ କରାଯିବ ବୋଲି ସର୍ବସମ୍ମତି ପ୍ରକାଶ ପାଇଛି। ଅର୍ଥାତ୍‌ ଉଦ୍ଭାବିତ ବା ବିକଶିତ ଟିକାକୁ କୌଣସି ସଭ୍ୟ ରାଷ୍ଟ୍ର ନିଜର ଲାଭଜନକ ବଣିଜ କରିବ ନାହିଁ। ସେହିଭଳି ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ନିକାୟରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଆସିଛି। ଏହା ଏଭଳି ହେବା ଦରକାର, ଯିଏ ଭବିଷ୍ୟତରେ କୌଣସି ବିଶ୍ୱମହାମାରୀର ମୁକାବିଲା କରିବାକୁ ପ୍ରସ୍ତୁତ ଥିବ।

ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନ ଯାହା ସାଧାରଣତଃ ତିନି ସପ୍ତାହ ଚାଲିଥାଏ, ତାହାକୁ ଛୋଟ କରାଯିବା ସହ କେବଳ ବିଶ୍ୱମହାମାରୀ ଉପରେ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟି ଦିଆଯାଉଛି। ତେବେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍‌ କହିଛନ୍ତି ଯେ ତାଙ୍କ ଦେଶ ଯେଉଁ ଟିକା ବନେଇବ ତାହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ୟୁରୋପିଆନ୍‌ ୟୁନିଅନ୍‌ ପ୍ରସ୍ତାବ ରଖିଛି ଯେ କରୋନାଭୂତାଣୁ ସଂକଟର ଏକ ନିରପେକ୍ଷ ଓ ବିସ୍ତୃତ ମୂଲ୍ୟାୟନ ହେଉ। ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାସ୍ଥ୍ୟ ସଚିବ ଆଲେକ୍ସ ଆଜାର କହିଛନ୍ତି ଯେ ଏହି ବିଶ୍ୱମହାମାରୀର ପ୍ରତିଟି ଦିଗର ସ୍ୱାଧୀନ ସମୀକ୍ଷା କରାଯାଉ। ଏହା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦେଶକ ଟେଡ୍ରସ୍‌ କହିଥିଲେ ନାଟକୀୟ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୁଧାରି ହେବ ନାହିଁ। ଏବେ ଏହାକୁ ଦୃଢ଼ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର