ୟେସ୍‌ ବ୍ୟାଙ୍କର ୧୮ ହଜାର ୬୫୪ କୋଟି କ୍ଷତି

ମୁମ୍ବାଇ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କ ୧୮ ହଜାର ୬୫୪ କୋଟି ଟଙ୍କାର କ୍ଷତି ସହିଛି। ପରିଶୋଧ ହୋଇପାରୁନଥିବା ଋଣ ପରିମାଣ ବୃଦ୍ଧି ପାଇଥିବାରୁ ୨୦୧୯ର ଶେଷ ତିନି ମାସରେ ବ୍ୟାଙ୍କ ଏହି କ୍ଷତି ସହିଛି। ଏହି ତିନି ମାସରେ ବ୍ୟାଙ୍କର ମୋଟ୍‌ ଏନପିଏ ବା ପରିଶୋଧ ହୋଇପାରୁନଥିବା ଋଣ ପରିମାଣ ୧୭ ହଜାର୧୩୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୪୦ ହଜାର ୭୦୯ କୋଟି ଟଙ୍କା ହୋଇଯାଇଛି। ଏନ୍‌ପିଏ ମୁକାବିଲା ଲାଗି ବ୍ୟାଙ୍କ ତରଫରୁ ୨୪ ହଜାର ୭୬୫ କୋଟି ଟଙ୍କା ଅଲଗା ରଖାଯିବା (ପ୍ରୋଭିଜନିଂ) ପରେ ଏହାର କ୍ଷତି ୧୮ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି‌ ଯେ ୨୦୧୯ର ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଏହାର ଜମାରାଶି ୪୦ ହଜାର କୋଟି ଟଙ୍କା ହ୍ରାସ ପାଇ ୧,୬୫,୦୦୦ କୋଟି ଟଙ୍କାକୁ ଖସିଆସିଛି। ସୁଧ ଜରିଆରେ ହେଉଥିବା ଆୟ ବହୁତ କମିଯିବା ଏବଂ ପାଖରେ କମ୍ ପରିମାଣର ପୁଞ୍ଜି ଥିବାରୁ ‌ୟେସ୍ ବ୍ୟାଙ୍କର ଋଣ ଆବଣ୍ଟନ କ୍ଷମତା ମଧ୍ୟ ହ୍ରାସ ପାଇଛି।

ଆର୍ଥିକ ସଙ୍କଟରେ ଫସିଥିବା ୟେସ୍‌ ବ୍ୟାଙ୍କର ବୋର୍ଡକୁ କିଛି ଦିନ ତଳେ ସରକାର କବ୍‌ଜା କରିବା ସହିତ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି। ଟଙ୍କା ଉଠାଣ ଉପରେ ୩୦ ଦିନ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ଗ୍ରାହକମାନଙ୍କୁ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇବାର ଅନୁମତି ପ୍ରଦାନ କରାଯାଇଛି। ଇତିମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଜରିଆରେ ୟେସ୍‌ ବ୍ୟାଙ୍କକୁ ପୁନରୁଦ୍ଧାର କରିବା ଲାଗି ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ତାହାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଆହୁରି କେତେକ ଘରୋଇ ବ୍ୟାଙ୍କ ମଧ୍ୟ ୟେସ୍‌ ବ୍ୟାଙ୍କରେ ନିବେଶ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର