ଅଢ଼େଇ ଘଣ୍ଟାରେ ଆଇଏଏସ୍ ପଦବି ଛାଡ଼ିବା ନିଷ୍ପତ୍ତି ନେଇଥିଲେ ଯୋଗୀ
ରାୟପୁର: ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି ପରଲୋକ ହୋଇଯାଇଛି। ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ଯୋଗୀ ଜଣେ ମେଧାବୀ ଛାତ୍ରୀ ଥିଲେ। ଭୋପାଳର ଏକ କଲେଜରୁ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ୧୯୬୮ରେ ସେ ୟୁପିଏସ୍ସି ଦ୍ବାରା ପରିଚାଳିତ ପରୀକ୍ଷାରେ ଆଇପିଏସ୍ ପାଇଥିଲେ। ଏହାର ଦୁଇବର୍ଷ ପରେ ସେ ଆଇଏଏସ୍ ପାଇଥିଲେ। ତତ୍କାଳୀନ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲା ଯଥା ରାୟପୁର, ଇନ୍ଦୋର ଆଦିରେ ପ୍ରାୟ ୧୪ ବର୍ଷ କାଳ ଜିଲ୍ଲାପାଳ ରହିଥିଲେ। ଦୀର୍ଘବର୍ଷ ଜିଲ୍ଲାପାଳ ରହିବାରେ ଯୋଗୀ ପ୍ରଥମ ବୋଲି କୁହାଯାଇଥାଏ। ଜିଲ୍ଲାପାଳ ଥିବା ସମୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗୀ ଥରେ କହିଥିଲେ ସେ ଯେତେବେଳେ ଇନ୍ଦୋରର ଜିଲ୍ଲାପାଳ ଥିଲେ ସେହି ସମୟରେ ତାଙ୍କ ନିକଟକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଏକ ଫୋନ୍ କଲ୍ ଆସିଥିଲା। ଆଇଏଏସ୍ ପଦବିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେବା ପାଇଁ କୁହାଯାଇଥିଲା। ତାଙ୍କୁ ଏ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ମାତ୍ର ଅଢ଼େଇ ଘଣ୍ଟାର ସମୟ ଦିଆଯାଇଥିଲା। ଅଢ଼େଇ ଘଣ୍ଟା ଭିତରେ ସେ ସକାରାତ୍ମକ ନିଷ୍ପତ୍ତି ନେଇ ସେହିଦିନ ମଧ୍ୟରାତ୍ରି ସୁଦ୍ଧା ମଧ୍ୟପ୍ରଦେଶ ପ୍ରଦେଶ କଂଗ୍ରେସ ସଭାପତି ଦିଗବିଜୟ ସିଂହଙ୍କ ସହିତ ଭୋପାଳ ଯାଇ ସେଠାରେ କଂଗ୍ରେସରେ ଯୋଗଦେଇଥିଲେ।