କୁମ୍ଭମେଳା ପାଇଁ ୧୫୦୦ କୋଟି, ଦୀପାବଳି-ହୋଲି ପାଇଁ ବି ମିଳିବ ପାଣ୍ଠି

ଉତ୍ତରପ୍ରଦେଶ ବଜେଟ: ରାମାୟଣ ଓ ମହାଭାରତ ସର୍କିଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାର ଶୁକ୍ରବାର ନିଜର ୨ୟ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ରାଜେଶ ଅଗ୍ରଓ୍ଵାଲ ୪ଲକ୍ଷ ୨୮ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଯୋଗୀ ସରକାର ବଜେଟରେ ୧୪ହଜାର ୩୪୧ କୋଟି ୮୯ ଲକ୍ଷ ଟଙ୍କା ନୂଆ ଯୋଜନାରେ ସାମିଲ କରିଛନ୍ତି। ଏହି ବଜେଟରେ କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ତୀର୍ଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଜିଆବାଦରେ କୈଳାଶ ମାନସରୋବର ଭବନର ନିର୍ମାଣ ଘୋଷଣା କରିଛନ୍ତି ଓ ଏଥିପାଇଁ ୯୪ କୋଟି ୨୬ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ଏହି ପରିଯୋଜନା ବର୍ଷ ୨୦୧୮ ଶେଷ ସୁଦ୍ଧା ପୁରା କରିବାକୁ ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ବଜେଟରେ ରାମାୟଣ ସର୍କିଟ, କୃଷ୍ଣ ସର୍କିଟ, ବୁନ୍ଦେଲଖଣ୍ଡ ସର୍କିଟ, ଜୈନ ସର୍କିଟ ପାଇଁ ୭୦ କୋଟି ଟଙ୍କା ଓ ବ୍ରଜ ତୀର୍ଥ ବିକାଶ ପରିଷଦର ପ୍ରତିଷ୍ଠା ଏବଂ ସୁବିଧା ପାଇଁ ମଧ୍ୟ ୧୦୦ କୋଟି ଟଙ୍କା ବଜେଟରେ ସ୍ଥାନ ଦିଆଯାଇଛି।

୧୦ ମାସ ପରେ ଆହ୍ଲାବାଦ କୁମ୍ଭ

ବର୍ଷ ୨୦୧୯ରେ କୁମ୍ଭମେଳା ଅନୁଷ୍ଠିତ ହେବ। ଯୋଗୀ ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଆଦେଶ ଜାରି କରିଛନ୍ତି। ପ୍ରୟାଗରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ପାଇଁ ପ୍ରସ୍ତୁତ ଚାଲିଛି। ଯୋଗୀ ଆଦିତ୍ୟନାଥ କୁମ୍ଭମେଳାର ଲଗୋ ଉନ୍ମୋଚନ କରିଛନ୍ତି। ଏହି ଲଗୋ ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ଜାରି ହୋଇଛି। ଯୋଗୀ ଚାହାଁନ୍ତି କୁମ୍ଭମେଳା ଦେଶ-ବିଦେଶରେ ଲୋକପ୍ରିୟତା ଅର୍ଜନ କରୁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଜେଟରେ ସଡ଼କ, ବିଜୁଳି, ପାଣି ସମେତ ଧାର୍ମିକ ପର୍ବକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି। ବଜେଟରେ ଅଯୋଧ୍ୟାରେ ଦୀପାବଳି, ବନାରସରେ ଦେବ ଦୀପାବଳି ଓ ବରସାନାରେ ହୋଲି ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟା ଓ ବ୍ରଜ ହୋଲି ପାଇଁ ୧୦ କୋଟି ଟଙ୍କା ରାଶି ଆବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର