ମନ୍ଦିର ଚାହୁଁଛ ନା, ମସ୍‌ଜିଦ୍‌: କଂଗ୍ରେସକୁ ମୋଦିଙ୍କ ପ୍ରଶ୍ନ

ଅହମଦାବାଦ/ଭାଭାର: ରାମ ମନ୍ଦିର ଓ ବାବ୍ରି ମସ୍‌ଜିଦ୍‌ ମଧ୍ୟରୁ ଗୋଟିକୁ ବାଛ ଏବଂ ତା’ ସହ ବୁଝାଇ କୁହ ୨୦୧୯ ଲୋକସଭା ନିର୍ବାଚନ ସହ ରାମ ଜନ୍ମଭୂମି ମାମଲାର ଶୁଣାଣିକୁ କାହିଁକି ଯୋଡୁଛ? ଗୁଜୁରାଟ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ କଂଗ୍ରେସକୁ ଏ ଭଳି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୦୧୯ ଲୋକସଭା ନିର୍ବାଚନ ଯାଏଁ ରାମ ମନ୍ଦିର ଶୁଣାଣିକୁ ସ୍ଥଗିତ ରଖିବାକୁ କଂଗ୍ରେସ ନେତା କପିଳ ସିବଲ୍‌ ଆବେଦନ କରିଥିବା କାରଣରୁ ଭାଭାରର ବନସ୍କାନ୍ତଠାରେ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପ୍ରଶ୍ନ କରିଥିଲେ।

ସିବଲ ରାମ ମନ୍ଦିର ନା, ବାବ୍ରି ମସ୍‌ଜିଦ୍‌ ପକ୍ଷ ନେଉଛନ୍ତି, ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ମୋଦି କହିଛନ୍ତି।

ମୋଦି କହିଛନ୍ତି: ଲୋକସଭା ନିର୍ବାଚନ ସହ କାହିଁକି ରାମ ମନ୍ଦିର ଶୁଣାଣିକୁ ସଂଯୋଗ କରୁଛନ୍ତି, ଏ କଥାର ଜବାବ ଦେଉ ନାହାନ୍ତି କଂଗ୍ରେସିଆମାନେ। ଅଯୋଧ୍ୟା ମାମଲାର ଶୁଣାଣିରେ ତୁମେ କାହିଁକି ବାଧକ ସାଜୁଛ? କଂଗ୍ରେସିଆମାନେ ଜବାବ ଦେଉ ନାହାନ୍ତି, କିନ୍ତୁ ସିବଲ କହୁଛନ୍ତି ଯେ ସେ ସୁନ୍ନି ଓ୍ଵାକଫ୍‌ ବୋର୍ଡର ପକ୍ଷ ନେଉ ନାହାନ୍ତି। ତେବେ କପିଲ ସ୍ପଷ୍ଟ କରନ୍ତୁ, ଆପଣ ରାମ ମନ୍ଦିର ନା, ବାବ୍ରି ମସ୍‌ଜିଦ୍‌ର ତରଫଦାରୀ କରୁଛନ୍ତି? ଯଦି ଆପଣ ସତ୍ୟ କହି ପାରୁ ନାହାନ୍ତି, ଆପଣଙ୍କ ନୂତନ ନେତା ରାହୁଳ ଗାନ୍ଧୀଙ୍କୁ ଏ ବାବଦରେ ପଚାରନ୍ତୁ?

ତାଙ୍କ ଉପରେ ବିରୋଧୀମାନେ ଲଦି ଦେଇଥିବା ଅପବାଦର ପ୍ରତିଶୋଧ ନେବା ପାଇଁ ସେ ଗୁଜୁରାଟର ଭୋଟଦାତାମାନଙ୍କୁ କହିବାବେଳେ ମୋଦି ଭାବବିହ୍ଵଳ ଏବଂ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ନିଲମ୍ବିତ କଂଗ୍ରେସ ସଦସ୍ୟ ମଣି ଶଙ୍କର ଆୟାର୍‌ଙ୍କ ମନ୍ତବ୍ୟକୁ ଇଙ୍ଗିତ କରି ମୋଦି ଏହା କହିଥିଲେ। ଆୟାର୍‌ ତାଙ୍କୁ ‘ଛୋଟ ଲୋକ’ ବୋଲି କହିଥିଲେ। ତେଣୁ ବିଜେପିକୁ ବିପୁଳ ସଂଖ୍ୟକ ଭୋଟ୍‌ ଦେଇ କଂଗ୍ରେସକୁ ଦଣ୍ଡିତ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର