ତିରୁଅନନ୍ତପୁରମ୍ : କେରଳ ହାଇକୋର୍ଟ ଆଜିର ସମାଜରେ ବିବାହ ଓ ଏହାର ପବିତ୍ରତା ନଷ୍ଟ ହେଉଥିବା ନେଇ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍ ସୋଫି ଟମାସଙ୍କ ଖଣ୍ଡପୀଠ କହିଲେ ଯେ ‘ୟୁଜ୍ ଆଣ୍ଡ୍ ଥ୍ରୋ’ (ବ୍ୟବହାର କର ଓ ଫିଙ୍ଗିଦିଅ) ସଂସ୍କୃତି ଆଜିକାଲି ବୈବାହିକ ସମ୍ପର୍କକୁ ପ୍ରଭାବିତ କରୁଛି ଏବଂ ଆଜିର ଯୁବପିଢ଼ି ବିବାହକୁ ଏକ ପାପ ବୋଲି ଭାବୁଛନ୍ତି। ଖଣ୍ଡପୀଠ କହିଲେ ଯେ ଆଜିକାଲି ଅନେକେ ବିବାହ କରିବାକୁ ଚାହୁନାହାନ୍ତି କାରଣ ସେମାନେ କୌଣସି ଦାୟିତ୍ବ ମୁଣ୍ଡାଇବାକୁ ପ୍ରସ୍ତୁତ ନୁହନ୍ତି। ଆଗରୁ ଧାରଣା ଥିଲା ‘ୱାଇଫ୍’ ମାନେ ‘ୱାଇଜ୍ ଇନ୍ଭେଷ୍ଟମେଣ୍ଟ ଫର୍ ଏଭର୍’, କିନ୍ତୁ ଆଜିକାଲି ଯୁବପିଢ଼ି ‘ୱାଇଫ୍’କୁ ଭାବୁଛନ୍ତି ‘ଓରି ଇନ୍ଭାଇଟେଡ୍ ଫର୍ ଏଭର୍’। ମନେହୁଏ ଆଜିକାଲିକାର ‘ୟୁଜ୍ ଆଣ୍ଡ୍ ଥ୍ରୋ’ ଉପଭୋକ୍ତା ସଂସ୍କୃତି ବୈବାହିକ ସମ୍ପର୍କକୁ ପ୍ରଭାବିତ କରିଛି। ଲିଭ୍-ଇନ୍ ସମ୍ପର୍କ (ବିବାହ ନ କରି ସ୍ବାମୀ-ସ୍ତ୍ରୀ ପରି ଚଳିବା) ଦିନକୁ ଦିନ ବୃଦ୍ଧି ପାଇବା ଦେଖାଯାଉଛି, ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେତେବେଳେ ମନୋମାଳିନ୍ୟ ହେବ ବା ସମ୍ପର୍କରେ ଫାଟ ସୃଷ୍ଟି ହେବ ‘ଗୁଡ୍ବାୟ’ କହି ଚାଲିଯିବା।
Sambad is now on WhatsApp
Join and get latest news updates delivered to you via WhatsApp
ଖଣ୍ଡପୀଠ କହିଥିଲେ ଯେ, ଭଗବାନଙ୍କ ନିଜ ପ୍ରଦେଶ ଭାବେ ଜଣାଶୁଣା କେରଳ ଏକଦା ଉତ୍ତମ ପାରିବାରିକ ବନ୍ଧନ ପାଇଁ ବିଖ୍ୟାତ ଥିଲା। କିନ୍ତୁ ଆଜିକାଲି ଆଉ ତାହା ନାହିଁ। ପରକୀୟା ପ୍ରୀତି ବା ଅନ୍ୟ ସ୍ବାର୍ଥପର କାରଣ ପାଇଁ ବୈବାହିକ ବନ୍ଧନ ଭାଙ୍ଗିଯାଉଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ବି ସେମାନେ ଚିନ୍ତିତ ନୁହନ୍ତି। ଏପରି ଭଗ୍ନ ପରିବାରଗୁଡ଼ିକରୁ ଆସୁଥିବା ଛୋଟ ପିଲା ଓ ବୁଢ଼ାବୁଢ଼ୀଙ୍କ କାନ୍ଦଣା ସାମାଜିକ ବିବେକକୁ ଦୋହଲାଇ ଦେଉଛି। ଯେତେବେଳେ ସଂସାରରେ କଳହରତ ଦମ୍ପତି, ପରିତ୍ୟକ୍ତ ଶିଶୁ ଓ ହତାଶ ସ୍ବାମୀ-ପରିତ୍ୟକ୍ତା ସ୍ତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ସେତେବେଳେ ସାମାଜିକ ଜୀବନର ଶାନ୍ତି ସାଂଘାତିକ ଭାବେ ବ୍ୟାହତ ହେବ ଏବଂ ଆମ ସାମାଜିକ ବିକାଶ ବ୍ୟାହତ ହେବ। ଗୋଟିଏ ଛାଡ଼ପତ୍ର ମାମଲାର ବିଚାର କରିବା ଅବସରରେ କୋର୍ଟ ଏହି ମତ ବ୍ୟକ୍ତ କରିଛନ୍ତି।