ଜାକୀର ମୁସା ନିହତ ହେବା ପରେ କାଶ୍ମୀର ପାଇଁ ନୂଆ କମାଣ୍ଡର ଘୋଷଣା କଲା ଅଲ-କାଇଦା

ଶ୍ରୀନଗର : ଗତ ମାସରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ତଥା କାଶ୍ମୀରରେ ଅଲକାଇଦା ୟୁନିଟ ମୁଖ୍ୟ ଜାକୀର ମୁସା ସେନା ଏନକାଉଣ୍ଟରରେ ନିହତ ହେବା ପରେ ଅଲକାଇଦା ପକ୍ଷରୁ ତାହାର ଉତ୍ତରାଧିକାରୀ ଘୋଷଣା କରାଯାଇଛି । ଅଲକାଇଦା ପକ୍ଷରୁ ଏକ ଭିଡିଓ ଜାରି କରି ହାରୁନ ରସିଦ ଓରଫ ଅବଦୁଲ ହମିଦ ଏଲହାରୀକୁ କାଶ୍ମୀରରେ ଅଲକାଇଦାର କମାଣ୍ଡର ନିଯୁକ୍ତ କରାଯାଇଛି । ସେହିପରି ଗାଜୀ ଇବ୍ରାହିମ ଖାଲିଦକୁ ଡେପୁଟୀ କମାଣ୍ଡର ଘୋଷଣା କରାଯାଇଛି ।
ଗତ ମେ ୨୩ ତାରିଖରେ ଆର୍ମି, ସିଆର୍ପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଦକ୍ଷିଣ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାରେ ଉପତ୍ୟକାର ମୋଷ୍ଟ୍ ଓ୍ଵାନ୍ଟେଡ୍ ଆତଙ୍କବାଦୀ ଜାକିର ମୁସା ନିହତ ହୋଇଥିଲା । ଦାଦସର ଗାଁରେ ଜାକିର ମୁସା ଏବଂ ତା’ର ସହଯୋଗୀମାନେ ଉପସ୍ଥିତ ଥିବାର ସୂଚନା ପାଇ ସେନା, ପୁଲିସ ଓ ସିଆର୍ପିଏଫ୍ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନକାରୀମାନେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ଘର ପାଖାପାଖି ହେବାମାତ୍ରେ ସେମାନେ ଗୁଳି ଚଳାଇବାରୁ ଏମାନେ ପାଲଟା ଗୁଳି ଚଳାଇଥିଲେ। ଗୁଳି ବିନିମୟ ସମୟରେ ମୁସା ସେହି ଘର ଭିତରେ ହିଁ ନିହତ ହୋଇଥିଲା।

ସମ୍ବନ୍ଧିତ ଖବର