ଉଦନ୍ତୀରେ ବନ୍ୟା: ଟାପୁରେ ୧୧ ଜଣଙ୍କ ସହ ୫ ଶହରୁ ଊର୍ଦ୍ଧ୍ୱ ଗାଈଗୋରୁ ଫସିଲେ

ସିନାପାଲି (ନୂଆଁପଡ଼ା): ଉଦନ୍ତୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ବନ୍ୟାଜଳ ମାଡି ଆସିବା ଫଳରେ ନଦୀ ମଝିରେ ୧୧ ଜଣ ଲୋକଙ୍କ ସମେତ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଗାଈଗୋରୁ ଫସି ଯାଇଛନ୍ତି । ନୂଆଁପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ଫୁରଶୁଣ୍ଡ ଗ୍ରାମର ଏହି ଲୋକମାନେ ନଦୀ ମଝିରେ ଥିବା ଏକ ଟାପୁ ଅଞ୍ଚଳରେ ଗାଈଗୋରୁ ଚରାଇବାକୁ ଯାଇ ଫସିଯାଇଥିଲେ । ଆଜି ସକାଳେ ପ୍ରତିଦିନ ଭଳି ଗାଈଗୋରୁ ଚରାଇବା ପାଇଁ ଉକ୍ତ ସ୍ଥାନକୁ ଯାଇଥିଲେ । ହେଲେ ନଦୀରେ ହଠାତ୍‌ ବନ୍ୟାଜଳ ମାଡିଆସିବା ଫଳରେ ଗାଈଗୋରୁଙ୍କ ସହିତ ସେମାନେ ଫସି ଯାଇଥିଲୋ

ଖବର ପାଇ ସିନାପାଲି ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଟାପୁରେ ଫସି ଯାଇଥିବା ଏହି ଲୋକମାନେ ହେଲେ ଘୁଚାଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫୁରସୁଣ୍ଡ ଗ୍ରାମର ଡିଙ୍ଗର ସା (୬୦), ମକରଧ୍ୱଜ ସା (୫୦), ସୁରତ ସା (୪୦), ମନିକା ସା (୧୮), ଜଗନ୍ନାଥ ରଣା (୩୫), ବିହାରୀ ସା (୩୫), ଇଡି ସା (୪୦), ଛବିଲାଲ ସା (୪୫), ଗୟାରାମ ସା (୩୦),ଗୌରୀଶଙ୍କ ରଣା (୩୫), ତିରନ ରଣା (୩୬) । ଏମାନେ ସମସ୍ତେ ଆଜି ସକାଳୁ ଗାଈ ଚରାଇବା ପଇଁ ଉକ୍ତ ଟାପୁ ଅଞ୍ଚଳକୁ ଯାଇଥିଲେ ।

ଉଦନ୍ତୀ ନଦୀର ଉପର ମୁଣ୍ଡରେ ଶୁକ୍ରବାର ରାତି ଠାରୁ ପ୍ରବଳ ବର୍ଷା ହୋଇଥିଲା । ଆଜି ସକାଳ ୯ ଟା ପର୍ଯ୍ୟନ୍ତ ନଦୀରେ ବନ୍ୟା ଜଳ ଆସିନଥିଲା । କିନ୍ତୁ ମଧ୍ୟାହ୍ନ ପରେ ହଠାତ୍‌ ବନ୍ୟା ଜଳ ମାଡିଆସିବା ଫଳରେ ନଦୀ ଫୁଲି ଉଠିଥିଲା । ଯାହାଫଳରେ ସେମାନେ ଆଉ ଫେରିପାରିଲେ ନାହିଁ । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ଦମକଳ ବାହିନୀ ଉଦ୍ଧାର କରିପାରିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିରହିଛି । ହେଲେ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ପାରିନଥିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ।

ସମ୍ବନ୍ଧିତ ଖବର