ରାସ୍ତା ଚଉଡା ଥିବାରୁ ଦ୍ରୁତ ଗତିରେ ଯାଉଥିଲା ୨ ଗାଡି, ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର

ଘୁ.ଉଦୟଗିରି: ସରକାର ଓ ପ୍ରଶାସନ ଗାଡ଼ିଚାଳକଙ୍କୁ ଯେତେ ସଚେତନ କଲେ ମଧ୍ୟ ସେମାନେ ସଚେତନ ହେଉନାହାନ୍ତି। ଅନେକ ସଂଖ୍ୟାରେ ଗାଡ଼ିଚାଳକମାନେ ଦ୍ରୁତ ଗତିରେ ବେପରୁଆ ଗାଡି ଚାଳନା କରୁଛନ୍ତି। ଯାହାର ପରିଣାମ ହେଉଛି ଦୁର୍ଘଟଣା। ଲୋକେ ଧନ ହାନି ପ୍ରାଣ ପୀଡାର ସମ୍ମୁଖୀନ ହେଉଛନ୍ତି।

ଏକ ବୋଲେରୋ ପିକଅପ୍‌ (ଓଡି ୦୫ ଏବି ୬୦୭୬) ରାଇକିଆରୁ ଶୁକ୍ରବାର ସନ୍ଧ୍ୟାରେ କୋବି ବୋଝେଇ କରି ଆଠଗଡ଼ ଯାଉଥିବା ବେଳେ ଘୁ.ଉଦୟଗିରି ସହରର ୧ନଂ ୱାର୍ଡ ପଦାସାହି ମୁଖ୍ୟ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ମାରୁତି କାର (ଓଡି ୩୩ ଭି ୫୨୦୫)କୁ ମୁହାଁମୁଁହି ଧକ୍କା ହୋଇଥିଲା। ଯାହା ଫଳରେ କାରଟି ଧକ୍କା ଖାଇ ରାସ୍ତା ତଳକୁ ପସିଯାଇଥିବା ବେଳେ କୋବି ବୋଝେଇ ବୋଲେର ରାସ୍ତା ଉପରେ ରହିଯାଇଥିଲା।

ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଇ ଗାଡ଼ି ଚାଳକ ସମେତ ଗାଡ଼ିରେ ବସିଥିବା ଅନ୍ୟ ତିନି ଜଣ ଯାତ୍ରୀ। ଖବର ପାଇ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲେଇବା ସହ ରାସ୍ତାରୁ ଗାଡ଼ି ହଟେଇବା ବ୍ୟବସ୍ଥା କରିଛନ୍ତି। ରାସ୍ତା ଚଉଡା ଏବଂ ଖାଲି ଥିବା ଯୋଗୁଁ ଗାଡି ଚାଳକମାନେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର