ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ମାଓବାଦୀ ମାଡକାମୀ ଦୁଲା

ମାଲକାନଗିରି: ଦୀର୍ଘ ୪ ବର୍ଷ ଯାଏଁ ମାଓ ଗତିବିଧି ସହ ଜଡ଼ିତ ରହିବା ପରେ ଶୁକ୍ରବାର ଜଣେ ମାଓବାଦୀ ମାଡକାମୀ ଦୁଲା ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଓ ଛତିଶଗଡ଼ର ସୁକମା ଜିଲ୍ଲାର ୭୪ ବାଟାଲିଅନ୍‌ (ସିଆରପିଏଫ) ନୀରଜ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ଆଜି ଏହି ସୂଚନା ଦେଇଛନ୍ତି। ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅନ୍ତର୍ଗତ କାରିଗୁଣ୍ଡୁମା ଗ୍ରାମର ମାଡକାମୀ ୨୦୧୫ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ସେ ୬ଟି ମାଓବାଦୀ ଗତିବିଧିରେ ନିଜକୁ ସାମିଲ କରିଥିଲା। ପୁଲିସ ପ୍ରଶାସନ ମାଡକାମୀ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଋଷିକେଶ ଖିଲାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ୨୦୧୫ ଜୁନ ୨୦ରେ ଗବରାପଡ଼ା ଗୁଳିବିନିମୟ, ସେହି ବର୍ଷ ଡିସେମ୍ବର ୨୪ରେ ଘୁଷୁମପଦର ଗାଁର ସହଦେବ ବଡ଼ନାଏକଙ୍କୁ ହତ୍ୟା, ୨୦୧୬ ଅକ୍ଟୋବର ୨୪ରେ ରାମଗୁଡ଼ା ଏନ୍‌କାଉଣ୍ଟର, ୨୦୧୮ ଫେବ୍ରୁଆରି ୧୨ରେ ଟିକରପଡ଼ା ଗୁଳିବିନିମୟ, ୨୦୧୮ ମେ’ ମାସ ୧୭ ଓ ୧୮ ମଧ୍ୟ ରାତିରେ ପାନପଦର ଗୁଳିବିନିମୟ ଘଟଣାରେ ମାଡକାମୀ ସଂପୃକ୍ତ ଥିଲା। ସେହିପରି ମାଡକାମୀ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦାଣ୍ଡବାଡି ଗୁଳିବିନିମୟରେ ଜଡ଼ିତ ଥିଲା।

ସମ୍ବନ୍ଧିତ ଖବର