ଆତଙ୍କବାଦ ସାରା ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଉଭାହୋଇଛି : ମୋଦୀ

ଭାରତ ବିଶ୍ୱକୁ ‘ଯୁଦ୍ଧ’ ନୁହେଁ ‘ବୁଦ୍ଧ’ ପ୍ରଦାନ କରିଛି

ନ୍ୟୁୟର୍କ : ଆତଙ୍କବାଦ ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ଏ ନେଇ ଭାରତର ସବୁବେଳେ ବିିଶ୍ୱବାସୀଙ୍କୁ ସତର୍କ କରାଇଆସିଛି । ଏବେ ସମଗ୍ର ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବାର ସମୟ ଆସିଛି ବୋଲି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ଜାତିସଂଘର ସାଧାରଣ ପରିଷଦର ୭୪ତମ ଅଧିବେଶନରେ ଅଭିଭାଷଣ ଦେଇ ସେ କହିଛନ୍ତି ଆତଙ୍କବାଦ ମିଳିତ ଜାତିସଂଘର ମୂଳ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଛି । ତେବେ ନିଜର ଏହି ୨୫ ମିନିଟର ଭାଷଣରେ ସେ ପାକିସ୍ତାନ ଓ କଶ୍ମୀର ପ୍ରସଙ୍ଗରେ କିଛି କହିନଥିଲେ ।

ସେ ଯେ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ବିଶ୍ୱରେ ପ୍ରାକୃତିକ ଦୁର୍ବିପାକ ସଂଖ୍ୟା ବଢିଚାଲିଛି । ଦିନକୁ ଦିନ ନୂଆ ନୂଆ ପ୍ରକାରର ଦୁର୍ବିପାକ ଦେଖାଦେଉଛି । ଏହା ବିରୋଧରେ ଲଢିବାର ସମୟ ଆସିଛି । ଭାରତ ୪୫୦ ଗିଗାଓ୍ଵାଟ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ପରିବେଶ ସୁରକ୍ଷା ପାଇଁ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାରକୁ ଭାରତ ନିଷିଦ୍ଧ କରିବାକୁ ଯାଉଛି । ଏଥିପାଇଁ ଭାରତ ଅନ୍ତର୍ଜାତୀୟ ସ୍ତରରେ ବିପର୍ଯ୍ୟୟ ସହନକ୍ଷମ ଭିତ୍ତିଭୂମି ସଂଗଠନ ସ୍ଥାପନ କରିଛି ।
ସେ କହିଛନ୍ତି ଯେ ଭାରତ ସବୁବେଳେ ବିଶ୍ୱର ଏକତା ଓ କଲ୍ୟାଣ ଦିଗରେ କାର୍ଯ୍ୟକରିଆସିଛି । ହଜାର ହଜାର ବର୍ଷ ଧରି ଭାରତର ପରମ୍ପରା ବିଶ୍ୱ ଭାତୃତ୍ୱ ରହି ଆସିଛି । ଭାରତ ବିଶ୍ୱକୁ ‘ଯୁଦ୍ଧ’ ନୁହେଁ ‘ବୁଦ୍ଧ’ ପ୍ରଦାନ କରିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର