‘ଅମ୍ଫାନ୍‌’: ୨୦ ସନ୍ଧ୍ୟା ସୁଦ୍ଧା ଦୀଘା ଓ ହତିୟା ମଧ୍ୟରେ ସୁନ୍ଦରବନ ନିକଟରେ କରିବ ଲାଣ୍ଡଫଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଦ୍ୱିତୀୟ ମହାବାତ୍ୟା ‘ଅମ୍ଫାନ’ର ପ୍ରକୋପ ଏବେ ଟକିଏ କମିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ‘ମହାବାତ୍ୟା’ରୁ ‘ଅତି ଭୀଷଣ ବାତ୍ୟା’କୁ ଖସି ଆସିଛି। ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ଏବେ ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଅମ୍ଫାନ୍‌ ଆସନ୍ତାକାଲି ଅର୍ଥାତ୍‌ ମେ ୨୦ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଅତି-ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ସହ ଗଷ୍ଟିଙ୍ଗ ୧୮୫ କିମି ରହିବାର ସମ୍ଭାବନା ରହିଛି ବୋଲି ଅମ୍ଫାନ ସଂପର୍କରେ ତାଜା ସୂଚନା ଦେବାକୁ ଯାଇ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମ୍ୟତ୍ୟୁଞ୍ଜୟ ମହାପାତ୍ର।

ଆଜି ଅପରାହ୍ଣରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ ଆସନ୍ତାକାଲି ଅର୍ଥାତ୍‌ ମେ ୨୦ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଏହା ଅତି-ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ସହ ଗଷ୍ଟିଙ୍ଗ ୧୮୫ କିମି ରହିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗ୍ରଣା, ଦକ୍ଷିଣ ୨୪ ପ୍ରଗ୍ରଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ଵଡ଼ା ଜିଲ୍ଲାଗୁଡ଼ିକ ସମେତ ମହାନଗରୀ କୋଲକାତା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବାସହ ବ୍ୟାପକ କ୍ଷୟକ୍ଷତିର ସାମନା କରିବ। ଖାଲି ଏତିକି ନୁହେଁ, ସାମୁଦ୍ରିକ ବାତ୍ୟା ଅମ୍ଫାନ ସୁନ୍ଦରବନ ଉପରଦେଇ ଯିବାବେଳେ ସୁନ୍ଦରବନର ଜୈବ ବିବିଧତାକୁ ମଧ୍ୟ ସଂପୂର୍ଣ୍ଣ ରୂପେ ଉଜୁଡାଇ ଦେବାର ଆଶଙ୍କା ରହିଛି।

ଶ୍ରୀ ମହାପାତ୍ର କହିଛନ୍ତି ପଶ୍ଚିମବଙ୍ଗ ଉପର ଦେଇ ଅମ୍ଫାନ ଗତି କଲା ସମୟରେ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୫୫ ରୁ ୧୬୫ କିମି ଓ ଗଷ୍ଟିଙ୍ଗ ୧୮୫ କିମି ରହିବାର ସମ୍ଭାବନା ରହିଛି। ତେଣୁ, ଏହିସବୁ ଅଞ୍ଚଳରେ ରହିଥିବା କଚ୍ଚା ଘର ସମେତ ପୁରୁଣା ଦୁର୍ବଳ କୋଠା, ବିଦ୍ୟୁତ ଖୁଣ୍ଟି ଓ ହୋର୍ଡିଂ ଇତ୍ୟାଦି ଧରାଶାୟୀ ହେବ। ଅତିପ୍ରବଳ ବର୍ଷା କାରଣରୁ କୋଲକାତା ସମେତ ଅନେକ ଅଞ୍ଚଳରେ ଓ୍ଵାଟର ଲଗିଂ ହେବାର ସମ୍ଭାବନା ରହିଛି।

ବତ୍ୟାଜନିତ କାରଣରୁ ସୃଷ୍ଟି ହେବାକୁ ଥିବା ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ଏନ୍‌ଡିଆରଏଫ୍‌ର ୨୦ଟି ଟିମ୍‌କୁ ମୁତୟନ କରାଯାଇଥିବା ବେଳେ ୫ଟି ଟିମ୍‌କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ଏସ୍‌ ଏନ୍‌ ପ୍ରଧାନ। ପଶ୍ଚିମବଙ୍ଗ ସରକାର ମଧ୍ୟ ତାଙ୍କ ରାଜ୍ୟ ସଚିବାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲି ଅମ୍ଫାନ ସଂପର୍କରେ ଟିକିନିଖି ତଥ୍ୟ ରଖୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର