ନଦୀ ପାଣିରେ ମିଶୁଛି ମଣିଷ ବ୍ୟବହାର କରୁଥିବା ଔଷଧ, ପଡ଼ିପାରେ ଖରାପ ପ୍ରଭାବ: ଅଧ୍ୟୟନ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଭଳି ଏବେ ଜଳ ପ୍ରଦୂଷଣ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଜଳ ପ୍ରଦୂଷଣ ପାଇଁ ପ୍ରତିବର୍ଷ ଲୋକେ ନା ନା ରୋଗରେ ପୀଡ଼ିତ ହେବା ସହ ଅନେକଙ୍କ ପ୍ରାଣହାନୀ ଘଟୁଛି। ତେବେ ଜଳ ପ୍ରଦୂଷଣର ଅନେକ କାରଣ ରହିଥିବା ବେଳେ ସବୁଠାରୁ ବଡ଼ କାରଣ ଏବେ ସାମ୍ନାକୁ ଆସିଛି। ଜଳରେ ଔଷଧ ମିଶୁଥିବାରୁ ଏହା ଅନେକ ଲୋକଙ୍କ ଉପରେ ପ୍ରଭାବ ପକାଉଥିବା ଜଣାପଡ଼ିଛି।

ସମଗ୍ର ବିଶ୍ୱର ନଦୀଗୁଡ଼ିକରେ ମିଶୁଥିବା ଔଷଧକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଦିଲ୍ଲୀ ଏବଂ ହାଇଦ୍ରାବାଦ ସମେତ ସମଗ୍ର ବିଶ୍ୱରେ ଥିବା ନଦୀ ଜଳର ନମୁନାକୁ ନେଇ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପ‌‌ରେ ନଦୀ ଜଳରେ ମଧୁମେହ ପାଇଁ ବ୍ୟବହୃତ ଔଷଧ ଏବଂ ପେନକିଲର ଔଷଧ ଅଧିକ ମିଶିଥିବା ଦେଖାଯାଇଛି, ଯାହା ଆମ ପରିବେଶ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ଅଟେ।

ପ୍ରଥମ କରି ଏହି ଅଧ୍ୟୟନ କରାଯାଇଥିବା ବେଳେ ଭାରତ ଭଳି ନିମ୍ନ ମଧ୍ୟବିତ୍ତ ଦେଶର ନଦୀଗୁଡ଼ିକରେ ସର୍ବାଧିକ ଔଷଧ ପ୍ରଦୂଷଣର ସ୍ତର ଦେଖିବାକୁ ମିଳିଛି। ଭାରତରେ ଔଷଧ ତିଆରି ନେଇ ଅନେକ ବ୍ୟବସ୍ଥା ଥିବା ବେଳେ ଫାର୍ମାସ୍ୟୁଟିକାଲ କମ୍ପାନିମାନେ ପରିବେଶ ନିୟମାବଳୀ ମାନୁନଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି।

ଭେନେଜୁଏଲାରେ ଥିବା ୟାନୋମାମି ଗାଁର ଲୋକେ ଅତ୍ୟାଧୁନିକ ଔଷଧ ବ୍ୟବହାର କରୁନଥିବାରୁ ସେଠାରେ ଥିବା ନଦୀ ଜଳରେ କୌଣସି ଔଷଧର ମିଶ୍ରଣ ହୋଇନଥିବା ଜଣାପଡ଼ିଛି। ହେଲେ ପରୀକ୍ଷା ପରେ ଲଣ୍ଡନରେ ଗୋଟେ ଲିଟର ପାଣିରେ ୩୦୮୦ ନାନୋଗ୍ରାମ୍, ହାଇଦ୍ରାବାଦରେ ୧୨,୬୦୦, ଦିଲ୍ଲୀରେ ୪୬,୭୦୦ ଏବଂ ଲାହୋରରେ ସର୍ବାଧିକ ୭୦,୭୦୦ନାନୋଗ୍ରାମ୍ ଔଷଧ ମିଶିଥିବା ଜଣାପଡ଼ିଛି।

ଅଧ୍ୟୟନରେ କୁହାଯାଇଛି ଯେ ପାଣିରେ ଔଷଧର ମିଶ୍ରଣ ପ୍ରତ୍ୟେକ ମହାଦ୍ୱୀପର ଜଳକୁ ଦୂଷିତ କରୁଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ ଏବଂ ହାଇଦ୍ରାବାଦର ବୈଜ୍ଞାନିକଙ୍କ ସମେତ ୱିଲକିନ୍ସନ୍ ଏବଂ ତାଙ୍କ ସହକର୍ମୀମାନେ ମିଶି ଦିଲ୍ଲୀର ଯମୁନା ନଦୀ ଏବଂ ହାଇଦ୍ରାବାଦର କୃଷ୍ଣା ଏବଂ ମୁସି ନଦୀ ସମେତ ୧୦୪ଟି ଦେଶର ୨୫୮ଟି ନଦୀରୁ ୧୦୫୨ଟି ନମୁନା ସଂଗ୍ରହ କରିଥିଲେ। ଅଧ୍ୟୟନ ପରେ ଚାରୋଟି ଔଷଧ – କ୍ୟାଫିନ୍, ନିକୋଟିନ୍, ପାରାସିଟାମଲ୍ ଏବଂ କୋଟିନାଇନର ଉପ-ଦ୍ରବ୍ୟଗୁଡିକ ପାଣିରେ ମିଶିଥିବା ଜଣାପଡ଼ିଥିଲା। ଭାରତରୁ ସଂଗ୍ରହ ହୋଇଥିବା ନମୁନାରେ କ୍ୟାଫିନ୍ ଏବଂ ନିକୋଟିନ୍ ସମେତ ଅନ୍ୟାନ୍ୟ ଔଷଧ ଯଥା-ଏନାଲେଜିକ୍ସ, ଆଣ୍ଟିବାୟୋଟିକ୍, ଆଣ୍ଟି-କନଭଲସାଣ୍ଟ, ଆଣ୍ଟି-ଡିପ୍ରେସାଣ୍ଟ, ଆଣ୍ଟି-ଡାଇବେଟିସ୍, ଆଣ୍ଟି-ଆଲର୍ଜି ଔଷଧ ଥିବା ଜଣାପଡ଼ିଥିଲା।

ତେବେ ଏଭଳି ଔଷଧ ମିଶିବା ଦ୍ବାରା ମାନବ ସମାଜ ଉପରେ ଏହାର କେତେ ଖରାପ ପ୍ରଭାବ ପଡ଼ୁଛି, ତାହା ଜଣାପଡ଼ିନଥିବା ବେଳେ ଏନେଇ ଅଧ୍ୟୟନ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର