ସିନ୍ଧିଆଙ୍କ ବିଜେପିରେ ଯୋଗଦାନ ପରେ ତାତିଲେ କମଲନାଥ ସରକାର, ହଟାଇଦେଲେ ସବୁ ପୋଷ୍ଟର

ଭୋପାଳ: କଂଗ୍ରେସକୁ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟ ସରକାର ଝଟକା ଦେଇଛନ୍ତି | ଆଜି ସିନ୍ଧିଆ ଭୋପାଳ ପହଁଞ୍ଚିବା ପୂର୍ବରୁ ତାଙ୍କୁ ସ୍ୱାଗତ କରିବାକୁ ଲଗାଯାଇଥିବା ପୋଷ୍ଟର ସବୁକୁ ହଟାଇ ଦିଆଯାଇଛି | ସିନ୍ଧିଆଙ୍କ କର୍ମୀମାନେ ସାରା ଭୋପାଳ ସହରରେ ହୋର୍ଡ଼ିଂଗ ଓ ପୋଷ୍ଟର ଲଗାଇଥିବାବେଳେ ଏହାକୁ ଭୋପାଳ ନଗର ନିଗମ ପକ୍ଷରୁ ହଟାଇଦିଆଯାଇଛି | ରାଜ୍ୟସଭା ନାମାଙ୍କନ ଭରିବା ପାଇଁ ସିନ୍ଧିଆ ଦୁଇଦିନିଆ ଭୋପାଳ ଗସ୍ତରେ ଆସୁଥିବାବେଳେ ରାଜ୍ୟ ସରକାର ତାଙ୍କର ସବୁ ପୋଷ୍ଟରକୁ ହଟାଇଦେଇଛନ୍ତି |

Photo-ani

ଆସନ୍ତାକାଲି ଦିନ ୧୨ଟା ବେଳେ ଭୋପାଳ ବିଜେପି କାର୍ଯ୍ୟାଳୟ ଆସିବେ ଓ ଏହା ପରେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ | ଏଠାରେ ସୂଚନା ଥାଉ କି ମଧ୍ୟପ୍ରଦେଶ ରାଜନୀତିର ‘ମହାରାଜ’ ଭାବେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କଂଗ୍ରେସ ସହ ୧୮ ବର୍ଷର ରାଜନୈତିକ ସଂପର୍କ ତୁଟାଇ ବିଜେପିରେ ସାମିଲ ହୋଇଥିଲେ ।

ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଜ୍ୟୋତିରାଦିତ୍ୟ ଗତକାଲି ଦଳ ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। କଂଗ୍ରେସରେ ଏକଦା ରାହୁଲ ଗାନ୍ଧିଙ୍କ ଅତି ଘନିଷ୍ଠ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ୩ ଦିନ ତଳେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶ କଂଗ୍ରେସର ୨୨ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ି ଦେଇଥିଲେ। ଗତକାଲି ବିଜେପିରେ ଯୋଗଦେବା ପରେ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର