କଣ୍ଟ୍ରୋଲ ଦୋକାନରେ ସାନିଟାଇଜର, ଫେସ ମାସ୍କ ବିକିବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଦେଶରେ ହଠାତ ବଜାରରୁ ସାନିଟାଇଜର ଓ ଫେସ ମାସ୍କ ଉଭାନ ହୋଇଯାଇଛି । ଅସାଧୁ ଓ ଜମାଖୋର ବ୍ୟବସାୟୀମାନ ଏଗୁ଼ଡ଼ିକର କଳାବଜାର ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି । ଫଳରେ ଲୋକମାନେ ଏସବୁ ସାମଗ୍ରୀ ପାଇପାରୁନାହାନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏସବୁ ସାମଗ୍ରୀ ଗୁଡ଼କୁ ସରକାରୀ କଣ୍ଟ୍ରୋଲ ଦୋକାନମାଧ୍ୟମରେ ସାଧାରଣ ଲୋକମାନଙ୍କୁ ଯୋଗାଇଦେବାକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

ଦେଶରେ କରୋନା ଭାଇରସ ଜନିତ ପରିସ୍ଥିତିର ସମୀକ୍ଷା କରିବା ଅବସରରେ ଖାଉଟି ସଚିବ ପଓ୍ଵନ ଅଗ୍ରଓ୍ଵାଲ ରାଜ୍ୟ ସରକାରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ରାଜ୍ୟମାନେ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ଓ କେତେକ ରାଜ୍ୟ ବଣ୍ଟନ ଆରମ୍ଭ କରିଦେଲେଣି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସାନିଟାଇଜର ଓ ଫେସ ମାସ୍କର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏକ ୨୦୦ ମିଲି ସାନିଟାଇଜର ବୋତଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ଥ୍ରୀପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ ଓ ଟୁ-ପ୍ଲାଇ ସର୍ଜିକାଲ ମାସ୍କର ମୂଲ୍ୟ ୮ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହୋଇଛି ।

ସମ୍ବନ୍ଧିତ ଖବର