ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ କରୋନା ହଟସ୍ପଟ ଜିଲ୍ଲା

ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ଘୋଷିତ ୧୭୦ଟି ହଟସ୍ପଟ ବା ରେଡଜୋନ ଜିଲ୍ଲା ମଧ୍ୟରୁ ଅଧିକାଂଶ ତାମିଲନାଡ଼ୁ, ମହାରାଷ୍ଟ୍ର , ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ରହିଛି ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ତାମିଲନାଡ଼ୁରେ ୨୨ଟି ହଟସ୍ପଟ ଜିଲ୍ଲା ଥିବାବେଳେ ମହାରାଷ୍ଟ୍ରରେ ୧୪, ଉତ୍ତରପ୍ରଦେଶରେ ୧୩, ରାଜସ୍ଥାନରେ ୧୨,ଆନ୍ଧ୍ରପ୍ରଦେଶରେ ୧୧ ଓ ଦିଲ୍ଲୀରେ ୧୦ଟି ଜିଲ୍ଲା ରହିଛି । ସେହିପରି ତେଲେଙ୍ଗାନାରେ ୯ଟି, ପଞ୍ଜାବ,ଜାମ୍ମୁ ଓ କଶ୍ମୀର ଓ କର୍ଣାଟକରେ ୮ଟି ଲେଖାଏଁ ହଟସ୍ପଟ ଜିଲ୍ଲା ରହିଛି । ଅନ୍ୟପକ୍ଷରେ କେରଳର ୭ଟି, ଗୁଜରାଟ,ମଧ୍ୟପ୍ରଦେଶ ଓ ହରିୟାଣାରେ ୬ଟି ଲେଖାଏଁ ହଟସ୍ପଟ ଜିଲ୍ଲା ରହିଛି । ଏସବୁ ଜିଲ୍ଲାଗୁଡ଼ିରେ ଲକଡାଉନକୁ କଡ଼ାକଡ଼ିଭାବେ ପାଳନ କରାଯିବ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସବୁ ଜିଲ୍ଲା ଗୁଡ଼ିକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯଥା ହଟସ୍ପଟ (ରେଡ ଜୋନ),ଅଣ-ହଟସ୍ପଟ (ହ୍ୱାଇଟ ଜୋନ) ଓ ଗ୍ରୀନଜୋନ । ହଟସ୍ପଟ ଜିଲ୍ଲାଗୁଡ଼ିକରେ ନିୟମିତଭାବେ ଅଧିକ ସଂକ୍ରମଣ ମାମଲା ସାମନାକୁ ଆସୁଛି, ଅଣ-ହଟସ୍ପଟ ଗୁଡ଼ିକରେ ଅଳ୍ପ କିଛି ମାମଲା ଦେଖାଦେଉଛି ଓ ଗ୍ରୀନ ଜୋନ ଜିଲ୍ଲାଗୁଡ଼ିକରେ କୌଣସି ମାମଲା ଜଣାପଡ଼ିନାହିଁ ଅର୍ଥାତ ସଂକ୍ରମଣରୁ ମୁକ୍ତ ରହିଛି । ଦେଶରେ ଏବେ ୧୭୦ଟି ଜିଲ୍ଲା ହଟସ୍ପଟ ଓ ୨୬୦ ଟି ଜିଲ୍ଲା ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

ସମ୍ବନ୍ଧିତ ଖବର