ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ମହାନତା; ନିଜ ଦରମାରୁ ଗରିବଙ୍କୁ ବାଣ୍ଟିଲେ ଲକ୍ଷେ ଟଙ୍କା

ରାୟଗଡ଼ା: ଲକଡାଉନ୍ ପାଇଁ ଜୀବିକା ହରାଇ ଦୁର୍ଦିନରେ ଦିନ କାଟୁଥିବା ୨୦୦ ଗରିବ ପରିବାରକୁ ଲକ୍ଷେ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସିଆରପିଏଫ୍ କମାଣ୍ଡାଣ୍ଟ୍। ପ୍ରତି ପରିବାରକୁ ୫ ଶହ ଟଙ୍କା ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ କରି ମୁନିଗୁଡାସ୍ଥିତ ୮ମ ବାଟାଲିୟନ୍ କମାଣ୍ଡାଣ୍ଟ୍ ଏନ୍. କେ. ସିଂହ ମାନବିକତାର ପରିଚୟ ଦେଇଛନ୍ତି। ଦେଶ ସୁରକ୍ଷା ସହ ପ୍ରତ୍ୟେକ ନାଗରିକଙ୍କ ନିରାପତ୍ତା ପ୍ରତି ସିଆରପିଏଫ୍ ସମର୍ପିତ ବୋଲି ଶ୍ରୀ ସିଂହ କହିଛନ୍ତି।

କରୋନା ମୁକାବିଲା ପାଇଁ ଲକଡାଉନ୍ ଘୋଷଣା ପରେ ମୁନିଗୁଡା ବ୍ଲକ୍ ଶିବପଦର ପଞ୍ଚାୟତର ବହୁ ଗ୍ରାମବାସୀ ଜୀବିକା ହରାଇଛନ୍ତି। ଏହି ପଞ୍ଚାୟତର ଅଧିକାଂଶ ଲୋକ ବାହାରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିଲେ। କରୋନା ଭୟରେ କାର୍ଯ୍ୟସ୍ଥଳୀ ଛାଡ଼ି ସମସ୍ତେ ଗାଁ ମୁହାଁ ହୋଇଛନ୍ତି। ବହୁ ଶ୍ରମିକ ନିଜ ପ୍ରାପ୍ୟ ନ ପାଇ ପଳାଇ ଆସିଥିବାରୁ ଶ୍ରମିକଙ୍କ ପରିବାର ବହୁ କଷ୍ଟରେ ଅଛନ୍ତି। ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖିବା ପରେ କମାଣ୍ଡାଣ୍ଟ୍ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଝିଲିଗୁଡା, ସୁନାବନ୍ଧ, କୁଦୁଲିମା, ହରିଜନସାହି ଓ କୁକୁରଲିମା ଗ୍ରାମର ୨୦୦ ପରିବାରକୁ ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ସାଙ୍ଗକୁ ଘରେ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବାକୁ କମାଣ୍ଡାଣ୍ଟ୍ ଶ୍ରୀ ସିଂହ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି କମାଣ୍ଡାଣ୍ଟଙ୍କ ନ‌ିର୍ଦେଶରେ ମାର୍ଚ୍ଚ ୩୧ ତାରିଖରୁ ୮ମ ବାଟାଲିୟନ୍ ପକ୍ଷରୁ ଗରିବ, ବାସହରା, ଦିନ ମଜୁରିଆ ଓ ନ୍ୟୁ ହୋପ୍ ପରିସରରେ ଥିବା ଦିବ୍ୟାଙ୍ଗଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। କମାଣ୍ଡାଣ୍ଟଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର