ଜାତିସଂଘ ରିପୋର୍ଟ: ବିଶ୍ୱର ୧୦ ସହରରେ ଦେଖାଯିବ ଉତ୍କଟ ଜଳ ସଂକଟ

ନୂଆଦିଲ୍ଲୀ: ଆଗାମୀ ଦିନରେ ଉତ୍କଟ ଜଳାଭାବ ପରିସ୍ଥିତି ଦେଖାଯିବ। ବିଶ୍ୱର ୧୦ଟି ସହରରେ ଜଳ ସଙ୍କଟ ସୀମା ଅତିକ୍ରମ କରିବ। ଜାତିସଂଘ ପକ୍ଷରୁ ଏଭଳି ଏକ ରିପୋର୍ଟ ଜାରି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ବିଶ୍ୱର ଏହି ୧୦ଟି ସହର ତାଲିକାରେ ବେଙ୍ଗାଲୁରୁ ମଧ୍ୟ ସ୍ଥାନ ପାଇଛି। ଦକ୍ଷିଣ ଆଫ୍ରିକାର କେପ-ଟାଉନ୍‌ ତାଲିକାର ପ୍ରଥମ ସ୍ଥାନରେ ଅଛି। ସ୍ଥିତି ଯଦି ଅଣାୟତ ହୁଏ ତେବେ ଆଗକୁ ପାଣି ପାଇଁ ଲୋକମାନେ ତ୍ରାହି ତ୍ରାହି କରିବେ ଏବଂ ଜଳ ପାଇଁ ଜୀବନ ମଧ୍ୟ ଯାଇପାରେ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରିଛି।

ସବୁଠାରୁ ବଡ଼କଥା ହେଲା ଯେ, ଜାତିସଂଘ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ପୃଥିବୀର ୧୦ଟି ସହରରେ ଆଗାମୀ ଦିନରେ ପିଇବା ପାଣିର ଘୋର ଅଭାବ ପରିଲିଖିତ ହେବ। ବର୍ଷ ୨୦୨୫ ସୁଦ୍ଧା ପୃଥିବୀର ଶହେ ୮୦ କୋଟି ଜନସଂଖ୍ୟା ଜଳ ସଙ୍କଟରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ବେଙ୍ଗାଲୁରୁ, କୋଲକାତା ଏବଂ ଚେନ୍ନାଇ ସହରରେ ବର୍ଷସାରା ଜଳ ସଙ୍କଟ ଦେଖାଯାଇଥାଏ। ତେବେ ଏହି ସ୍ଥିତିର ତୁରନ୍ତ ମୁକାବିଲା ନ କରାଗଲେ ଆଗାମୀ ଦିନରେ ଗାଧୋଇବା ଓ ଶୌଚ କରିବା ବି ଅସମ୍ଭବ ହୋଇଯିବ ବୋଲି ଜାତିସଂଘ ସତର୍କ କରାଇଛି।

ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଏହି ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଆଉ ଦ୍ୱିତୀୟ ସ୍ଥାନରେ ମେକ୍ସିକୋର ମେକ୍ସିକୋ ସହର, ତୃତୀୟରେ ମିଶରର କାହିରା ଏବଂ ଚତୁର୍ଥରେ ଜାପାନର ଟୋକିଓ, ପଞ୍ଚମ ସ୍ଥାନରେ ଚାଇନାର ବେଜିଙ୍ଗ୍‌, ଷଷ୍ଠ ସ୍ଥାନରେ ବ୍ରାଜିଲର ସାଓ ପାଲୋ, ସପ୍ତମ ସ୍ଥାନରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ, ଅଷ୍ଟମ ସ୍ଥାନରେ ଇଂଲଣ୍ଡର ଲଣ୍ଡନ, ନବମ ସ୍ଥାନରେ ବେଙ୍ଗାଲୁରୁ ଓ ଦଶମ ସ୍ଥାନରେ ଇଣ୍ଡୋନେସିଆର ଜାକର୍ତ୍ତା ସହର ରହିଛି । ଏହାକୁ ତୁରନ୍ତ ଗମ୍ଭୀରତାର ସହ ଗ୍ରହଣ କରି କୋଟି କୋଟି ଲୋକଙ୍କ ଜୀବନ ଯିବା ପୂର୍ବରୁ ପ୍ରଶାସନ ଚେତିବା ଆବଶ୍ୟକ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର