ଜୀବନ-ମନ୍ତ୍ର : ‘ନେତ୍ରୋତ୍ସବ’ ଓ ‘ତଚ୍ଚକ୍ଷୁ’ ମନ୍ତ୍ର

ଶ୍ରୀଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି- ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ଅଣସର ପରେ, ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ ନେତ୍ରୋତ୍ସବ ହୋଇଥାଏ। ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟଦିଅଁମାନଙ୍କୁ ବିସର୍ଜନ କରି ଦିଆଯାଏ। ତାଟି ସମ୍ମୁଖରେ, ଖଟ ଉପରେ ପୂଜିତ ସାତ ଦେବଦେବୀଙ୍କୁ ସ୍ୱସ୍ଥାନକୁ ନେଇ ନିଆଯାଇ, ତାଟି ଖୋଲି ଦିଆଯାଏ। ପଟରେ ଆରୋପିତ ଦେବତା ପୁଣି ଦାରୁ ବିଗ୍ରହଙ୍କ ମଧ୍ୟକୁ ଫେରି ଆସନ୍ତି। ଭକ୍ତମାନେ ସେମାନଙ୍କୁ ପୁଣି ଦାରୁବ୍ରହ୍ମ ରୂପରେ ଦର୍ଶନ କରନ୍ତି। ଏହା ହେଉଛି ନବଯୌବନ ଦର୍ଶନ। ଏହା ପରେ ହୁଏ ସେମାନଙ୍କର ନେତ୍ରୋତ୍ସବ ନୀତି।

ଏହି ନେତ୍ରୋତ୍ସବର ସ୍ୱତନ୍ତ୍ର ବିଧି ଅଛି। ନବଯୌବନ ଦର୍ଶନ ପୂର୍ବର ବନକଲାଗି ସମୟରେ, ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ନେତ୍ର ଅଙ୍କନ କରିଥାଆନ୍ତି। ସେଥିରେ ନେତ୍ର ପିତୁଳା ବା ପୁଅଡୋଳା ବି ଅଙ୍କନ ହୋଇଥାଏ। କିନ୍ତୁ ତାହା ସଂପୂର୍ଣ୍ଣ ହୋଇ ନଥାଏ। ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ ତିନିଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ, ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥାଆନ୍ତି। ତିନି ଖଣ୍ଡି ତୁଳସୀ କାଠିରେ ତାହା କରାଯାଏ।

ଏହି ତୁଳସୀକାଠି ରାଘବ ଦାସ ମଠରୁ ଆସିଥାଏ।

ଏହି ନେତ୍ର ଅଙ୍କନର ଏକ ସ୍ୱତନ୍ତ୍ର ମନ୍ତ୍ର ଅଛି। ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି- ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରିବେ। ଏହା ହେଉଛି ନେତ୍ରୋତ୍ସବ।

ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି ‘ଯଜୁର୍ବେଦ’ (୩୬.୨୪)ର ଏକ ମନ୍ତ୍ର। ଏହାର ତାତ୍ପର୍ଯ୍ୟ ହେଉଛି- ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ୱରୂପ, ନିତ୍ୟଚକ୍ଷୁ। ଏହି ଚକ୍ଷୁ ଦେବତାମାନଙ୍କର ହିତକାରୀ। ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ୱାରା ଆମେ ଶହେଟି ଶରତ୍‌ (ବର୍ଷ) ଦେଖିବାକୁ ସକ୍ଷମ ହେଉ। ଶହେଟି ଶରତ୍‌ ସୁଖରେ ଜୀବନ ଧାରଣ କରୁ। ଶହେଟି ଶରତ୍‌ ଭଲ ଭାବରେ ଶୁଣିପାରୁ। ଶହେଟି ଶରତ୍‌ ଭଲ ଭାବରେ କହିପାରୁ। ଶହେଟି ଶରତ୍‌ ବିନା ଦୈନ୍ୟରେ ଚଳିପାରୁ। ଶହେଟି ବା ଶତାଧିକ ଶରତ୍‌ ଆମେ ଏହିପରି ଭାବରେ କ୍ରିୟାଶୀଳ ଓ ଆୟୁଷ୍ମାନ୍ ରହୁ!

ଏହା ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବର ମହତ୍ତ୍ବ୍ୱ ଏବଂ ଏହା ଆମ ପାଇଁ ତାଙ୍କର ଶୁଭାଶିଷ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର