ନିରାଶ୍ରିତଙ୍କ ସୁନାପୁଅ ଦୀପକ

ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ନିରାଶ୍ରିତଙ୍କୁ ଆହା ପଦେ କହିବାକୁ ଆଜିକାଲିର ମଣିଷଙ୍କ ପାଖେ ସମୟ ନାହିଁ। ଅଥଚ କୋଷେ ଦୂରରେ ଥାଇ ବି ସେମାନଙ୍କ ଆର୍ତନାଦ ଦୀପକଙ୍କୁ ବିକଳ ହୋଇ ଡାକେ। ରାତି ପାହିବା ବେଳକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିରାଶ୍ରିତ ୱାର୍ଡ ମଳ ମୂତ୍ରରେ ‌ଜୁଡ଼ୁବୁଡ଼ୁ ହେଉଥିବାରୁ ଲୋକେ ନାକରେ ହାତ ଦେଇ ଚାଲି ଯାଆନ୍ତି। ଦୀପକ କିନ୍ତୁ ସୁନାପୁଅଟିଏ ଭଳି ସେମାନଙ୍କୁ ଶ୍ରଦ୍ଧାରେ କୋଳେଇ ନେଇ ପାଇଖାନା ପର୍ଯ୍ୟନ୍ତ ଟେକି ନିଅନ୍ତି। ଶୌଚ କରାନ୍ତି, ତାଙ୍କ ଲୁଗାପଟା ଧୁଅନ୍ତି, ଗାଧୋଇ ଦିଅନ୍ତି, ସେମାନଙ୍କ ଅଇଁଠା ବାସନ ମାଜନ୍ତି। ରାଜଧାନୀର ପାହାନ୍ତି ସକାଳେ ଅନେକ ନିଜ ଶରୀରକୁ ସଜାଡ଼ିବାକୁ କସରତ କରୁଥିବା ବେଳେ ସ୍ପଣ୍ଡିଲାଇଟିସ୍‌ ଆକ୍ରାନ୍ତ ଦୀପକ ନଇଁ ଯାଇଥିବା ଅଣ୍ଟାକୁ ଦମ୍ଭ କରି ନିରାଶ୍ରିତଙ୍କ ସେବାରେ ଲାଗି ପଡ଼ନ୍ତି। ସେ ସରକାରୀ ସେବକ ନୁହନ୍ତି କି ତାଙ୍କୁ କେହି ଏଥିପାଇଁ ଟଙ୍କାଟିଏ ଦିଅନ୍ତି ନାହିଁ। ମେରୁଦଣ୍ଡ ବଙ୍କା ହୋଇଯାଉଥିବାରୁ ନିଜେ ଠିକ୍‌ରେ ଚଳପ୍ରଚଳ କରିପାରନ୍ତି ନାହିଁ। କିନ୍ତୁ ସେବା ମନୋବୃତ୍ତି ତାଙ୍କର ସେଇ ବଙ୍କା ମେରୁଦଣ୍ଡରେ ବି ଶକ୍ତି ‌ଭରିଦିଏ।

୩୧ ବର୍ଷୀୟ ଦୀପକଙ୍କ ପୂରା ନାଁ ଦୀପକ କର। ଘର ଯାଜପୁର ଜିଲ୍ଲା ବେଙ୍ଗପୁର ଗ୍ରାମରେ। ଶରତ ଚନ୍ଦ୍ର କର ଏବଂ ବୀଣାପାଣି କରଙ୍କ ସନ୍ତାନ ଦୀପକ ଜାତିରେ ବ୍ରାହ୍ମଣ ହୋଇଥିବାରୁ ନିରାଶ୍ରିତଙ୍କ ମଳମୂତ୍ର ସଫା କରୁଥିବା ଜାଣି ତାଙ୍କୁ କେହିକେହି ଟାହିଟାପରା କରନ୍ତି। ମାତ୍ର ଏହା ତାଙ୍କୁ କେବେ ବି ସେବାରୁ ଅନ୍ତର କରିନାହିଁ। ସକାଳ ସାଢ଼େ ୭ଟା ବାଜିଲେ ନିଜର ପୁରୁଣା ମୋଟର ସାଇକେଲ୍‌ ଧରି ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିରାଶ୍ରିତ ୱାର୍ଡରେ ପହଞ୍ଚି ଯାଆନ୍ତି। ହସ୍ପିଟାଲ୍ ଭିତରକୁ ପଶିବା କ୍ଷଣି ମୂକ, ଜଡ଼, ବଧିର, ମାନସିକ ବିକାରଗ୍ରସ୍ତ ଓ ବୃଦ୍ଧବୃଦ୍ଧାଙ୍କ ଯନ୍ତ୍ରଣା ଜର୍ଜରିତ ମୁହଁରେ ଚେନାଏ ହସ ଖେଳିଯାଏ। ଯେମିତି ତାଙ୍କ ପୁଅ ଆସିଗଲା। ସ୍ବାର୍ଥପର ଦୁନିଆରେ ନିଜ ଲୋକ ସିନା ତାଙ୍କ ହାତ ଛାଡ଼ିଦେ‌ଲେ କିନ୍ତୁ ଦୀପକ ନିରାଶ୍ରିତଙ୍କ ପାଇଁ କାହାର ପୁଅ ତ କାହାର ନାତି ପାଲଟିଗଲେ।
ୟା’ରି ଭିତରେ ବି ଦିନରେ ଏକ ଜରାଶ୍ରମରେ କାମ କରି ୪ ହଜାର ଟଙ୍କା ରୋଜଗାର କରନ୍ତି। ଜଣେ ବ୍ୟକ୍ତିଙ୍କ ଘରେ ବ୍ୟକ୍ତିଗତ ସେବା ଯୋଗାଇଦେଇ ଦିନକୁ ୧୦୦ ଟଙ୍କା ପାଆନ୍ତି। ଏତିକି ହିଁ ତାଙ୍କର ସମ୍ବଳ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଦୀପକ କୁହନ୍ତି, ମୋର ଦୁଃଖ ଏତିକି ଯେ ମତେ ଅକାଳରେ ବାର୍ଧକ୍ୟ ଘୋଟିଗଲା। ମୋ ଅଣ୍ଟା ବଙ୍କା ହୋଇଗଲା। ଦିନ ସାରା ସେବା କରି ଘରକୁ ଫେରି ଯେବେ ବିଛଣାକୁ ଯାଏ, ଭଗବାନଙ୍କୁ ସ୍ମରଣ କରି କୁହେ ପ୍ରଭୁ ମତେ ସେମାନଙ୍କ ସେବା କରିବାକୁ ଆହୁରି ଶକ୍ତି ଦିଅ। ରାତିରେ ମେରୁଦଣ୍ଡର ଅସହ୍ୟ ଯନ୍ତ୍ରଣା ଶୁଆଇ ଦିଏନି। କଡ଼ ଲେଉଟାଇବା ବେଳେ ଛଟପଟ ହୁଏ। ମାତ୍ର ସକାଳେ ନିରାଶ୍ରିତଙ୍କ ସେବାର ଆତ୍ମସନ୍ତୋଷ ଗାଢ଼ ରାତିରେ ମୋ ପିଠି ଥାପୁଡ଼େଇ ଶୁଆଇଦିଏ। ସବୁ ପରେ ବି ଅବସୋସ ଯେ ମୋ ବାପା ମା’ଙ୍କ ଆଶା ପୂରଣ କରିପାରିଲିନି। ବାପା ମା ଚାହିଁଥିଲେ, ମୁଁ ଚ‌ାକିରି କରି ବଡ଼ ମଣିଷ ହୁଏ। ବଡ଼ ମଣିଷଟିଏ ତ ହୋଇପାରିଲିନି, କିନ୍ତୁ ଭଲ ମଣିଷଟିଏ ହେବାକୁ ଚେଷ୍ଟା କରିଛି।

ସମ୍ବନ୍ଧିତ ଖବର