ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଉଦ୍‌ଯାପିତ: ମା’ଙ୍କ ପ୍ରତ୍ୟାବର୍ତ୍ତନ

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆଜି ଉଦଯାପିତ ହୋଇଛି। ବିଳମ୍ବିତ ରାତିରେ ମା’ଙ୍କ ଘଟ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିବେ। ଏଥିପାଇଁ ଡାକରାରେ ଆସି ସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ଘରେ ଅପେକ୍ଷା କରିଛନ୍ତି। ଦେଶୀବେହେରାଙ୍କ ପକ୍ଷରୁ ମା’ଙ୍କୁ ଉପହାର ଦେବା ପାଇଁ ଭାର ପ୍ରସ୍ତୁତ କରି ରଖିଛନ୍ତି। ଗତ ମାର୍ଚ୍ଚ ୨୯ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ରହ୍ମପୁର ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସରିବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ମା’ଙ୍କ ଶାଶୁଘରୁ ଡାକରାରେ ଆସିଥିବା ସହସ୍ରାକ୍ଷି ଘଟକୁ ପୂର୍ବପୁରୁଷରୁ ଶାଶୁଘର ଭାବେ ଏନ. ଲକ୍ଷ୍ମୀକାନ୍ତଙ୍କ ପତ୍ନୀ ଏନ. ଭବାନୀ ମୁଣ୍ତରେ ବହନ କରି ଆଗରେ ଚାଲିବା ବେଳେ ତାଙ୍କ ପଛରେ ମା’ଙ୍କ ଘଟ ଏବ˚ ଗିରି ମାର୍କେଟ ସ୍ଥିତ ମୋଚି ସାହି ବାସିନ୍ଦାଙ୍କ ପକ୍ଷରୁ ଆସିଥିବା ଭାରକୁ ସାଙ୍ଗରେ ଧରି ଯିବେ। ଏହି ଭାରରେ ଏକ କୁକୁଡା, ବିଭିନ୍ନ ପ୍ରକାର ପନିପରିବା ସହିତ ଖାଦ୍ୟ ସାମଗ୍ରୀକୁ ଏକ ବରକୋଳି ଡାଳରେ ବାନ୍ଧି ତାହାକୁ ଜଣେ ମୋଚି ବହନ କରି ମା’ଙ୍କ ଘଟ ପଛରେ ଚାଲିଥାନ୍ତି। ଆଜି ରାତ୍ର ୧୧ଟା ୪୧ରୁ ଗୋଟାଏ ୩୧ମଧୢରେ ମା’ ଅସ୍ଥାୟୀ ମନ୍ଦିରରୁ ବାହାରି ବିଭିନ୍ନ ସାହି ଦେଇ ପାହାନ୍ତିଆ ୨ଟା ୪୫ରୁ ୪ଟାରୁ ୩୧ମଧୢରେ ସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ ବୋଲି ପୂର୍ବରୁ ସିଦ୍ଧାନ୍ତୀ ଶୁଭବେଳା ଦେଇଛନ୍ତି। ମା’ଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀବେହେରା ସାହି ପରିକ୍ରମା କରି ସେଠାରୁ ରାଜବାଟୀ ଯାଇ ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବଙ୍କୁ ଦର୍ଶନ ଦେବା ସହିତ ମେଲାଣି ମାଗି ଶାଶୁଘର ଅଭିମୁଖେ ଯାତ୍ରା କରିବେ।

ସମ୍ବନ୍ଧିତ ଖବର