ଶୟନୀ ଏକାଦଶୀ

ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀକୁ ଶୟନୀ ଏକାଦଶୀ କହନ୍ତି। ଏହାର କାରଣ, ଏହି ଦିନଠାରୁ ଦେବତାମାନଙ୍କର ରାତ୍ରିକାଳ ଉପସ୍ଥିତ ହୁଏ ଏବଂ ଦେବତାମାନେ ବିଶ୍ରାମ କରନ୍ତି। ଏହା ଚର୍ତୁମାସ୍ୟାବ୍ରତର ଆରମ୍ଭ କାଳ। ଏଣୁ ଏହି ଏକାଦଶୀର ଅନ୍ୟନାମ ଦେବଶୟନ ଏକାଦଶୀ।

ଶ୍ରୀବିଷ୍ଣୁ ଏକାଦଶୀ ଦିନ, ଗରୁଡ଼ ଦ୍ୱାଦଶୀ ଦିନ, କାମଦେବ ତ୍ରୟୋଦଶୀ ଦିନ, ଯକ୍ଷଗଣ ଚତୁର୍ଦ୍ଦଶୀ ଦିନ, ଶଙ୍କର ପୂର୍ଣ୍ଣମୀ ଦିନ ଏବଂ ବ୍ରହ୍ମା ପ୍ରତିପଦା ଦିନ- ଏହିପରି ପର୍ଯ୍ୟାୟକ୍ରମେ ତିଥି ଅନୁଯାୟୀ ସମସ୍ତ ଦେବଦେବୀ ଶୟନ କରିବାକୁ ଯାଇଥାନ୍ତି। ସେମାନଙ୍କ ପାଇଁ ପ୍ରସ୍ତୁତ ଶଯ୍ୟା ମଧ୍ୟ ଅତ୍ୟନ୍ତ ମନମୋହକ ହୋଇଥାଏ। କାମଦେବ କଦମ୍ବଫୁଲର ପଲଙ୍କ ଉପରେ ଶୟନ କଲାବେଳେ, ଯକ୍ଷମାନେ ସ୍ୱର୍ଣ୍ଣପଦ୍ମର ଶଯ୍ୟାରେ ଶୟନ କରନ୍ତି। ସ୍ୱୟଂ ପରଂବ୍ରହ୍ମଙ୍କର ଅନୁସାରେ ରାଜା ବଳିଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ଦିନ କମଳନୟନ ଶ୍ରୀବିଷ୍ଣୁଙ୍କର ଏକ ସ୍ୱରୂପ, ବଳି ପୁରକୁ ଗମନ କରନ୍ତି। ତାଙ୍କର ଅନ୍ୟ ଏକ ସ୍ୱରୂପ କ୍ଷୀର ସାଗରରେ ଶେଷନାଗଙ୍କର ଶଯ୍ୟା ଉପରେ, କାର୍ତ୍ତିକ ମାସ ଏକାଦଶୀ ପର୍ଯ୍ୟନ୍ତ ଶୟନ କରନ୍ତି। ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଶୟନ ପ୍ରତିମା ମଧ୍ୟ ସେହିଦିନ ଶୟନ ଗୃହରେ ଶୟନ କରିଥାନ୍ତି। ସେହିପରି, ଦ୍ୱାଦଶୀ ଦିନ ଗରୁଡ଼ ମଧ୍ୟ ଯାଇ ପ୍ରଭୁଙ୍କ ପଲଙ୍କ ତଳେ ଶୟନ କରିଥାନ୍ତି।

ପ୍ରଥମତଃ, ଶ୍ରୀହରି ଏକାଦଶୀ ଦିନ ଶୟନ କରୁଥିବାରୁ, ଏହାର ନାମ ହରିଶୟନ। ଦ୍ୱିତୀୟତଃ, ଏହି ତିଥିକୁ ଭକ୍ତି ଓ ନିଷ୍ଠାର ସହିତ ପାଳନ କଲେ ସମସ୍ତ ପାପ ଓ ଦୁଃଖ ହରଣ ହୋଇଥାଏ; ତେଣୁ ଏହାକୁ ହରିଶୟନ ଏକାଦଶୀ କହନ୍ତି। ଏହିଦିନରେ ଭକ୍ତି ଓ ନିଷ୍ଠାର ସହିତ ହରିଙ୍କୁ ପୂଜନ କରାଯାଏ। ଭଗବାନ ଯେହେତୁ ବୈକୁଣ୍ଠ ପରିତ୍ୟାଗ କରି ଶେଷ ଶଯ୍ୟାରେ ଶୟନ କରନ୍ତି, ତେଣୁ ବ୍ରତଧାରୀ ମଧ୍ୟ ଭୂମିରେ ଶୟନ କରିବା ବିଧେୟ। ପଳାଶ ପତ୍ରରେ ଭୋଜନ କରି ବ୍ରହ୍ମଚର୍ଯ୍ୟ ପାଳନ କଲେ ଏହି ଏକାଦଶୀ ବ୍ରତର ଫଳ ସ୍ୱରୂପ ପ୍ରାଣୀ ବିଷ୍ଣୁଲୋକ ଯାତ୍ରା କରିଥାଏ।

ଡକ୍ଟର ତୁଳସୀ ଓଝା।

ସମ୍ବନ୍ଧିତ ଖବର