କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗେ‌ଜେଟେଡ୍‌ ଅଫିସରଙ୍କ ସମ୍ମେଳନ

ଭୁବନେଶ୍ବର: କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗେଜେଟେଡ୍‌ ଅଫିସର୍‌ଙ୍କ ସର୍ବଭାରତୀୟ ସଂଘ (ଓଡ଼ିଶା ଶାଖା)ର ୨୪ତମ ସମ୍ମେଳନ ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଅଧିକାରୀମାନେ ଜିଏସ୍‌ଟି ଓ ସୀମା ଶୁଳ୍କରେ ହୋଇଥିବା ପରିବର୍ତନ, ଜିଏସ୍‌ଟିର ପ୍ରଭାବ ଏବଂ କ୍ୟାଡର ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ଜିଏସ୍‌ଟି ଭୁବନେଶ୍ବର ଜୋନ୍‌ର ମୁଖ୍ୟ କମିସନର ନରେଶ ପେନୁମାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନ କମିସନର ବିଜୟ କୁମାର କର, କମିସନର ଅଫ୍‌ କଷ୍ଟମ୍‌ସର ଦେବାଶିଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅଲ୍‌ ଇଣ୍ଡିଆ ଆସୋସିଏସନ୍‌ ଅଫ୍‌ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଗେଜେଟେଡ୍‌ ଅଫିସର୍ସ ସଂଘର ସଭାପତି ଶିଶିର ଅଗ୍ନିହୋତ୍ରୀ, ସାଧାରଣ ସମ୍ପାଦକ ଆର୍‌ ମହିମୋହନ ବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂଘର ଓଡ଼ିଶା ସଭାପତି ଡି.କେ ସାମନ୍ତରାୟ ଜିଏସ୍‌ଟି ଲାଗୁ ହେବା ପରେ କ୍ୟାଡର ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ କେ.କେ ଲେଙ୍କା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ସଂଯୋଜକ ଜି.ସି ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରୀୟ କମିଟି ସଦସ୍ୟ ଏସ୍‌.କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର